ଇସ୍ତଫା ପୂର୍ବରୁ ସୋନିଆଙ୍କୁ ଚିଠି ଲେଖି ଏସବୁ କଥା ଜଣାଇଥିଲେ ଅମରିନ୍ଦର ସିଂହ

ଅମୃତସର,୧୯/୯ : ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ସେ ଇସ୍ତଫା ଦେଇଥିଲେ ବୋଲି ଜଣାପଡିଛି । ତେବେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ସେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ ବୋଲି ଏବେ ସାମ୍ନାକୁ ଆସିଛି ।

ଚିଠିରେ ଅମରିନ୍ଦର ସିଂହ ଲେଖିଥିଲେ ଯେ, ମୋର ବ୍ୟକ୍ତିଗତ ଯନ୍ତ୍ରଣା ସତ୍ତ୍ୱେ, ମୁଁ ଆଶା କରୁଛି ରାଜ୍ୟରେ କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଶାନ୍ତି ଏବଂ ବିକାଶରେ କୌଣସି ପ୍ରଭାବ ପଡିବ ନାହିଁ । ଗତ କିଛି ବର୍ଷ ମଧ୍ୟରେ ମୁଁ ଯେଉଁ ପ୍ରୟାସ ଉପରେ ଧ୍ୟାନ ଦେଉଛି, ତାହା ଅବିରତ ଜାରି ରହିବ, ଯାହା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବ । ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଁ ଅନେକ ଚେଷ୍ଟା କରିଛି । ଆଶା କରୁଛି ମୁଁ କ୍ଷମତାରେ ନରହିଲେ ବି ରାଜ୍ୟରେ ଶାନ୍ତି ବଜାୟ ରହିବ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଚିଠିରେ ନିଜ କାର୍ଯ୍ୟକାଳ ସମୟରେ ପାଇଥିବା ସଫଳତା ଏବଂ ଲୋକଙ୍କ ପାଇଁ କରିଥିବା କାମ ବିଷୟରେ ଜଣାଇବା ସହ ୨୦୧୭ରେ ପଞ୍ଜାବ କଂଗ୍ରେସ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ୮୯.୨ପ୍ରତିଶତ ପୂରଣ କରିଥିବା ଲେଖିଛନ୍ତି । ଏହା ସହ ବାକି ଥିବା ପ୍ରତିଶ୍ରୁତି ଆଗକୁ ପୂରଣ କରିବେ ବୋଲି ଚିଠିରେ ଲେଖିଥିବା ଜଣାପଡିଛି ।