ନୂଆଦିଲ୍ଲୀ, ୧୭/୦୭ : ଅମରନାଥ ଯାତ୍ରା ଆଜି ପାଇଁ ବନ୍ଦ କରିଦିଆଯାଇଛି । ଏହି ଯାତ୍ରା ପହଲଗାମ ଏବଂ ବାଲତାଲ ଦୁଇଟି ଯାକ ବେସ କ୍ୟାମ୍ପରୁ ରୋକି ଦିଆଯାଇଛି । ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେଉଛି, ଏଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କଶ୍ମୀର ସୂଚନା ବିଭାଗ ସୂଚନା ଦେଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ଭଲ ନାହିଁ । ପ୍ରଶାସନିକ ଅଧିକାରୀ ରାସ୍ତାକୁ ଟିକ୍ କରିବା ପାଇଁ କାମ ଜାରି ରଖିଛନ୍ତି । ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ବାଲତାଲ ରୁଟରେ ଭୂସ୍ଖଳନ ଯୋଗୁଁ ୧୦ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଅନେକ ତୀର୍ଥଯାତ୍ରୀ ବନ୍ୟାରେ ମଧ୍ୟ ଫସି ରହିଛନ୍ତି । ଏହି କାରଣରୁ ଆଜି ଅର୍ଥାତ୍ ଗୁରୁବାର ଅମରନାଥ ଯାତ୍ରା ସ୍ଥଗିତ ରହିବ । ଆଜି ଜମ୍ମୁ ବେସ୍ କ୍ୟାମ୍ପ ବାହାରକୁ ଯାତ୍ରା ଆଗକୁ ବଢ଼ିବ ନାହିଁ ବୋଲି ସୂଚନା ମିଳିଛି । ଜମ୍ମୁ କଶ୍ମୀର ଜନସଂପର୍କ ବିଭାଗ ଏକ ବୟାନ ଜାରି କରିଛି ଯେ, ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେଉଛି । ଏଥିପାଇଁ ରାସ୍ତା ଅବସ୍ଥା ବହୁତ ଖରାପ ରହିଛି । ରାସ୍ତାକୁ ମରାମତି କରିବା ଜରୁରୀ । BRO ପକ୍ଷରୁ ଲୋକମାନେ ଏବଂ ମେସିନ କାମରେ ଲାଗିଛନ୍ତି । ଆସନ୍ତାକାଲି ସୁଦ୍ଧା ରାସ୍ତା କାମ ହୋଇଯିବ । ଏହାପରେ ବେସ କ୍ୟାମ୍ପରୁ ଯାତ୍ରା ଆରମ୍ଭ ହେବ । ଏଯାଏଁ ୨.୪୭ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ପ୍ରତିବର୍ଷ ୪ ଲକ୍ଷ ଲୋକ ଅମରନାଥ ଯାତ୍ରାକୁ ଯାଆନ୍ତି । ଚଳିତବର୍ଷ ଏପର୍ଯ୍ୟନ୍ତ ୪ ଲକ୍ଷ ଲୋକ ଅନଲାଇନ ରେଜିଷ୍ଟ୍ରେସନ କରିଛନ୍ତି । ଅମରନାଥ ଯାତ୍ରା ଅଗଷ୍ଟ ୯ରେ ଶେଷ ହେବ ।
