ଭୁବନେଶ୍ୱର, ୧୪/୦୪ : ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ । ଏହି ଅବସରରେ ନୂଆଦିଲ୍ଲୀର ସଂସଦଭବନ ପରିସରସ୍ଥିତ ପ୍ରେରଣାସ୍ଥଳଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତିମଣ୍ଡଳର ବହୁ ସଦସ୍ୟ, ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ପୂର୍ବାହ୍ନରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଜାରି ରହିବ । ଡକ୍ଟର ଆମ୍ବେଦକର ଜାତୀୟ ସ୍ମାରକୀକୁ ଯାତାୟତ ପାଇଁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆସନ୍ତାକାଲି ସ୍ୱତନ୍ତ୍ର ବସ୍ର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ବି.ଆର୍.ଆମ୍ବେଦକରଙ୍କ ଜୟନ୍ତୀରେ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ବାବା ସାହେବ ତାଙ୍କ ପ୍ରେରଣାଦାୟୀ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବାବାସାହେବଙ୍କୁ ଜଣେ ଦକ୍ଷତାସମ୍ପନ୍ନ, ବହୁମୁଖୀ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରି ରାଷ୍ଟ୍ରପତି କହିଥିଲେ, ସେ ଜଣେ ଅର୍ଥନୀତିଜ୍ଞ, ଶିକ୍ଷାବିତ, ଆଇନଜୀବୀ ଏବଂ ଜଣେ ମହାନ୍ ସମାଜ ସଂସ୍କାରକ ଥିଲେ। ଡକ୍ଟର ଆମ୍ବେଦକର’ ମହିଳା ଏବଂ ଅବହେଳିତ ବର୍ଗର ଅର୍ଥନୈତିକ ଏବଂ ସାମାଜିକ ଅଧିକାର ପାଇଁ ଆଜୀବନ ସଂଘର୍ଷ ଜାରି କରିଥିଲେ।