ଭୁବନେଶ୍ୱର, ୧୧/୧୦ : ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣୁପୁର ପଞ୍ଚାୟତସ୍ଥିତ ମେର୍କାତାରା ଗାଁରେ। ମେର୍କାତାରାରୁ ୨.୫୦ କିଲୋମିଟର ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ। ଗାଁକୁ ଯିବା ପାଇଁ ରାସ୍ତା ନ ଥିବାରୁ ଅଧାରେ ଅଟକିଥିଲା ୧୦୮ ଆମ୍ବୁଲାନ୍ସ। ମେର୍କାତାରା ଗାଁର ଗୁନ୍ସେନ ମାଝୀଙ୍କ ସ୍ତ୍ରୀ ରଗ୍ନିଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା, ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଅଢ଼େଇ କିଲୋମିଟର ଦୂର ମଦାଙ୍ଗଗୁଡ଼ା-ମେର୍କାତାରା ମଝି ଘାଟି ରାସ୍ତାରେ ଅଟକି ରହିଥିଲା। କାରଣ ଗାଁ ପାଖ-ମଦାଙ୍ଗଗୁଡ଼ା ମଝି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି, ଗତ ଅକ୍ଟୋବର ୨ ତାରିଖରେ ହୋଇଥିବା ବର୍ଷାରେ ରାସ୍ତା ଧୋଇ ଯାଇ ବଡ଼ ଗର୍ତ୍ତ ସୃଷ୍ଟି କରିଛି, ଫଳରେ ଗାଁକୁ ଅଟୋ କିମ୍ବା ଅନ୍ୟ ବଡ଼ ଗାଡ଼ି ସବୁ ଯାଇ ପାରୁନାହିଁ। ଏଣୁ ପରିବାର ଲୋକେ ବାଧ୍ୟ ହୋଇ ଅଢ଼େଇ କିଲୋମିଟର ରାସ୍ତା ଖଟିଆରେ ଆମ୍ବୁଲାନ୍ସ ନିକଟକୁ ବୋହି ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସାଇସୁରୁଣି ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ଲାଭ କରିଥିବା ବେଳେ ମା’ ଓ ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଏଭଳି ଦୁଃଖ କଷ୍ଟରେ ଆମେ ଜୀବନଯାପନ କରୁଛୁ ବୋଲି ଆମ ପ୍ରତିନିଧିଙ୍କ ସମ୍ମୁଖରେ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଥିବା ବେଳେ ମଦାଙ୍ଗଗୁଡ଼ା-ମେର୍କାତାରାର ଶୋଚନୀୟ ଅବସ୍ଥାରେ ଥିବା ରାସ୍ତାକୁ ତୁରନ୍ତ ମରାମତି କରିବା ସହ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନକୁ ଯୁଦ୍ଧକାଳୀନ ସ୍ଥିତିରେ ସଜାଡ଼ନ୍ତୁ ବୋଲି ଜିଲା ତଥା ବ୍ଲକ ପ୍ରଶାସନଙ୍କ ପାଖରେ ଅଞ୍ଚଳବାସୀ ଦାବି କରୁଛନ୍ତି। ତେବେ ବିଜେଡି ଶାସନର ଦୀର୍ଘବର୍ଷ ବିତିଯାଇଛି ତଥାପି ରାସ୍ତାଘାଟର ଉନ୍ନତି ହେଲା ନାହିଁ, ଏବେ ଡବଲ ଇଞ୍ଜିନ ସରକାର ଏହା ଉପରେ କି ଭଳି ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକିରହିଲା।
