ତାଇଓ୍ବାନକୁ ସଶସ୍ତ୍ର ଡ୍ରୋନ୍‌ ଦେବ ଆମେରିକା

ନୂଆଦିଲ୍ଲୀ, ୪/୧୧ : ତାଇଓ୍ବାନର ସାମରିକ ଶକ୍ତି ବଢ଼ାଇବା ପାଇଁ ଆମେରିକା ସାହାଯ୍ୟ କରୁଛି । ସେଥିପାଇଁ ଚୀନର ବାରମ୍ବାର ଚେତାବନୀ ସତ୍ବେ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ଦେଖିବାକୁ ମିଳିଛି। ନିକଟରେ ଆମେରିକା ୨୩୭ କୋଟି ଡଲାରର ମିସାଇଲ ପଠାଇବା ପାଇଁ ସହମତି ପ୍ରକାଶ କରିବାକୁ ନେଇ ଚୀନ ବିରୋଧ କରିଥିଲା। ଏବେ ପୁଣି ଥରେ ଆମେରିକା ୬୦ କୋଟି ଡଲାର (ପାଖାପାଖି ୪୪ ଶହ କୋଟି ଟଙ୍କା)ର ସଶସ୍ତ୍ର ଡ୍ରୋନ୍‌ ତାଇଓ୍ବାନକୁ ବିକ୍ରି କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

ରିମୋଟ ଦ୍ବାରା ଚାଳିତ ସଶସ୍ତ୍ର ଡ୍ରୋନ୍‌ ସମେତ ଅନ୍ୟ ଉପକରଣ ତାଇଓ୍ବାନକୁ ପଠାଇବା ପାଇଁ ସରକାର ଅନୁମତି ଦେଇଥିବା ଆମେରିକା ବୈଦେଶିକ ବିଭାଗ ଏକ ବିଜ୍ଞପ୍ତିରେ ଦର୍ଶାଇଛି। ତେବେ ଏହି ସବୁ ଉପକରଣ ମିଳିବା ପରେ ତାଇଓ୍ବାନରେ ସୁରକ୍ଷା, ସୈନ୍ୟ ସନ୍ତୁଳନ ଓ ରାଜନୈତିକ ସ୍ଥିରତା ପାଇଁ ବଳ ମିଳିବ ବୋଲି କୁହାଯାଉଛି।