ନୂଆଦିଲ୍ଲୀ,୧୩/୨ : ୟୁକ୍ରେନ ଏବଂ ରୁଷ ଯୁଦ୍ଧରେ ବଢୁଥିବା ବିପଦକୁ ନଜରରେ ରଖି ଆମେରିକା ନିଜ ନାଗରିକଙ୍କୁ ସତର୍କ କରାଇଛି । ଏହାସହ ନିଜ ନାଗରିକଙ୍କୁ ସ୍ୱଦେଶ ଫେରିବା ପାଇଁ ଅପିଲ୍ କରିଛି । ରୁଷରେ ଚାଲିଥିବା ଗିରଫଦାରୀ ଏବଂ ଉତ୍ପୀଡନ ବିପଦକୁ ନଜରରେ ରଖି ଆମେରିକା ନିଜ ନାଗରିକଙ୍କୁ ତୁରନ୍ତ ରୁଷ ଛାଡିବା ପାଇଁ କହିଛି ।
ମସ୍କୋରେ ଅବସ୍ଥାପିତ ଆମେରିକୀୟ ଦୂତାବାସ ନିଜ ନାଗରିକଙ୍କୁ ରୁଷରେ ଥିବା ବିପଦ ବାବଦରେ ଅବଗତ କରାଇଛି । ଦୂତାବାସ କହିଛି, ରୁଷରେ ବାସ କରୁଥିବା କିମ୍ୱା ଯାତ୍ରାରେ ଥିବା ଆମେରିକୀୟ ନାଗରିକ ତୁରନ୍ତ ସ୍ୱଦେଶକୁ ଫେରିବା ଦରକାର । ରୁଷରେ ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ କରାଯାଉଛି ଏବଂ ସେମାନଙ୍କୁ ଜୋରଜବରଦସ୍ତ ଗିରଫ କରାଯାଉଛି ।
ଦୂତାବାସ କହିଛି, ‘ରୁଷରେ ମିଛ ଅଭିଯୋଗରେ ଆମେରିକୀୟ ନାଗିରକଙ୍କୁ ଗିରଫ କରାଯାଉଛି ଏବଂ ସେମାନଙ୍କ ଉତ୍ପୀଡ଼ନ କରାଯାଉଛି । ଆଇନ ଅନୁସାରେ ସେମାନଙ୍କ ସହ ନିରପେକ୍ଷ ଏବଂ ପାରଦର୍ଶୀ ବ୍ୟବହାର କରାଯାଉ ନାହିଁ । ସେଠାରେ ଧାର୍ମିକ ଗତିବିଧିରେ ଜଡ଼ିତ ଥିବା ଆମେରିକୀୟ ନାଗରିକଙ୍କ ବିରୋଧରେ ସନ୍ଧିଗ୍ଧ ଅପରାଧିକ ତଦନ୍ତ ଆରମ୍ଭ କରାଯାଇଛି’ ।
ଉଲ୍ଲେଖଯୋଗ୍ୟ ଯେ ଆମେରିକା ଲାଗାତାର ନିଜ ନାଗରିକଙ୍କୁ ରୁଷ ଛାଡ଼ିବା ନେଇ ଚେତାବନୀ ଦେଇ ଆସୁଛି । ଗତ ବର୍ଷ ସେପ୍ଟେମ୍ୱରରେ ମଧ୍ୟ ଆମେରିକା ପକ୍ଷରୁ ନିଜ ନାଗରିକଙ୍କୁ ଏହିପରି ଚେତାବନୀ ଦିଆଯାଇଥିଲା ।
