ନୂଆଦିଲ୍ଲୀ, ୦୬/୦୮ : ଆମେରିକାରେ ଚିକିତ୍ସା ପରିବହନ ବିମାନ ଏରିଜୋନାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ନ୍ୟୁ ମେକ୍ସିକୋର ଅଲ୍ବୁକର୍କ ସ୍ଥିତ ସିଏଆଇ ଆଭିଏସନ କମ୍ପାନୀର ବିମାନ ଚିନଲେ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ସମସ୍ତ ବ୍ୟକ୍ତି ଚିକିତ୍ସା କର୍ମଚାରୀ ଥିଲେ । ଏାମନେ ରୋଗୀ ଆଣିବା ପାଇଁ ଯାଉଥିଲେ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନଟି ଅବତରଣ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏନେଇ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଏଫଏଏ ଯାଞ୍ଚ କରୁଛି । ଦୁର୍ଘଟଣାର କାରଣ ଏଯାଏଁ ଜଣାପଡିନାହିଁ । ନଭାଜୋର ଜନଜାତିର ଅଧ୍ୟକ୍ଷ ବୁଓ ନ୍ୟୁଗ୍ରେନ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଦୁର୍ଘଟଣା ବିଷୟରେ ଜାଣି ବହୁତ କଷ୍ଟ ଲାଗିଲା । ଏମାନେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଉଥିବା ବେଳେ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀରେ ଫିଲାଡେଫ୍ଲେିୟାରେ ଏକ ଚିକିତ୍ସା ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୮ ଜଣଙ୍କ ଜୀବନ ଚାଲିଯାଇଥିଲା । ନିକଟରେ ଆମେରିକାର ନର୍ଥ କେରୋଲିନାରେ ଓକ୍ ଆଇଲାଣ୍ଡ ନିକଟରେ ଏକ ବିମାନ ସମୁଦ୍ରରେ କ୍ରାସ ହୋଇଥିଲା ।