ଭୁବନେଶ୍ୱର, ୧୪/୦୯ : ସମ୍ବଲପୁରରେ ଫୁଟିଲା ଆମେରିକୀୟ ଫୁଲ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ସନାତନ ପାଲି ଗାଁରେ ସବୁଜ ସନାତନ ପାଲି ଏଫପିଓ ପକ୍ଷରୁ ପରୀକ୍ଷା ମୂଲକ ଭାବେ ଏହି ଫୁଲ ଚାଷ କରାଯାଇଥିଲା । CSIR ଲକ୍ଷ୍ନୌ ପକ୍ଷରୁ ସବୁଜ ସନାତନପାଲିର ଏଫପିଓକୁ ୟୁଷ୍ଟୋମା ଫୁଲର ୨ ହଜାର ଚାରା ପ୍ରଦାନ କରାଯାଇଥିଲା । ଗାଁରେ ନିର୍ମାଣ ହୋଇଥିବା ପଲ୍ଲୀ ହାଉସରେ ଏହି ଚାରା ରୋପଣ କରାଯିବା ପରେ ପ୍ରାୟ ୩ ତିନି ମାସ ମଧ୍ୟରେ ସଫଳତାର ସହ ଏଥିରେ କଢ ହୋଇ ଫୁଲ ଫୁଟିଛି । ପ୍ରାୟ ୫ ଟି ପ୍ରଜାତିର ୟୁଷ୍ଟୋମା ଫୁଲ ପରୀକ୍ଷା ମୂଳକ ଭାବେ ଫୁଟିଛି । ୟୁଷ୍ଟୋମା ଫୁଲ ଏକ ଉତ୍ତର ଆମେରିକୀୟ ଫୁଲ । ମୁଖ୍ୟତଃ ୟୁରୋପ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ତ, ଜାପାନ ସହ ଆମେରିକାରେ ଏହି ଫୁଲ ଫୁଟିଥାଏ । ଏହା ଫୁଟିବା ପରେ ତୋଳିଲେ ମଧ୍ୟ ଦୀର୍ଘ ଦିନ ଧରି ତାଜା ରହୁଛି । ଏଥିପାଇଁ ସନାତନ ପାଲିର କିଛି ଚାଷୀ ଏହି ଚାଷର ଦାୟିତ୍ବ ନେଇଛନ୍ତି । ଏହି ଫୁଲ ଫୁଟିବା ପରେ ଚାଷୀଙ୍କ ମନରେ ଉତ୍ସାହ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହି ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବର୍ତ୍ତମାନ ପରୀକ୍ଷା ମୂଲକ ଭାବେ ଶତାଧିକ ସଂଖ୍ୟାରେ ଏହି ଫୁଲ ଫୁଟିଛି । ଏହି ଫୁଲର ମଞ୍ଜି ସରଂକ୍ଷିତ ରଖାଯିବ ସହ ଏହାକୁ ବିକ୍ରି କରାଯିବ ନାହିଁ ବୋଲି ଚାଷୀ କହିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଏହି ଫୁଲର ଚାହିଦା ରହିଛି ।
