ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଲାଞ୍ଚୁଆ ଅମିନ ବାବୁ

ଭୁବନେଶ୍ୱର, ୦୬/୧୦ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଲାଞ୍ଚୁଆ ଅମିନ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା କିରମିରା ତହସିଲଦାରଙ୍କ ଅଫିସର ଅମିନ ଭାସ୍କର ମେହେର । କିରମିରା ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଖୋଲତାଡ଼ ଜାରିଥିବା ଝାରସୁଗୁଡା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ବ୍ୟକ୍ତଙ୍କ ଜମିର ଫିଲଡ ଭେରିଫିକେସନ ରିପୋର୍ଟ ଦେବା ପାଇଁ ଅମିନ ଭାସ୍କର ମେହେର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ବ୍ୟକ୍ତି ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ୧୫ ହଜାର ଟଙ୍କା ଦେଲେ ରିପୋର୍ଟ ପ୍ରଦାନ କରିବେ ବୋଲି ଭାସ୍କର କହିଥିଲେ । ଏନେଇ ସେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିବାରୁ ଭାସ୍କରଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ ବିଭାଗ । ଆଜି ଅପରାହ୍ନ ପ୍ରାୟ ୪ ଟା ୨୦ ରେ ଅଭିଯୋଗକାରୀ ପୂର୍ବ ଯୋଜନା ମୁତାବକ ଭାସ୍କରଙ୍କୁ ସେ ମାଗିଥିବା ଲାଞ୍ଚ ଟଙ୍କା ଦେଇଥିଲେ । ଠିକ ଏହି ସମୟରେ ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରି ଭାସ୍କରଙ୍କୁ ଧରିବାସହ ତାଙ୍କ ନିକଟରୁ ୧୫ ହଜାର ଟଙ୍କା ଜବତ କରିଛି ।