ଆଜି ପଶ୍ଚିମବଙ୍ଗରେ ଅମିତ ଶାହାଙ୍କ ଭର୍ଚୁଆଲ ରାଲି

ନୂଆଦିଲ୍ଲୀ,୯/୬: କରୋନା ଭାଇରସ ମହାମାରୀ ଦେଶର ନିର୍ବାଚନ ପ୍ରଚାରର ଚିତ୍ର ବଦଳାଇ ଦେଇଛି । ବିହାର ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ପଶ୍ଚିମବଙ୍ଗରେ ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ବିଜେପିର ଅଭିଯାନ ଆରମ୍ଭ କରିବାକୁ ଯାଇଛନ୍ତି । ଶାହଙ୍କ ଏହି ରାଲି ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ରାଜ୍ୟରେ ଆସନ୍ତା ବର୍ଷ (୨୦୨୧)ରେ ବିଧାନସଭା ନିର୍ବାଚନ ହେବ । ଏଥି ପାଇଁ ବିଜେପି ଏବେଠାରୁ ପ୍ରସ୍ତୁତ ହୋଇସାରିଛି । ଅନ୍ୟପକ୍ଷରେ ଅମିତ ଶାହାଙ୍କ ରାଲିକୁ ନେଇ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିଯାଇଛି ।

ଅମିତ ଶାହା ଭିନ୍ନ ଭିନ୍ନ ମିଡିଆ ପ୍ଲାଟଫର୍ମରେ ଆଜି ଦିନ ୧୧ଟାରେ ବିଜେପି କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବେ । ଏହି ଭର୍ଚ୍ୟୁଆଲ ରାଲିରେ ବିଜେପିର ସମସ୍ତ ବଡ଼ ନେତା ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏହି ରାଲି ରାଜ୍ୟରେ ପୂରା ଚିତ୍ର ବଦଳାଇବ । ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏହା ହୋଉଛି ଆମର ପ୍ରଥମ ରାଲି । ଏହି ରାଲିରେ ସର୍ବାଧିକ ଲୋକଙ୍କୁ ଆମେ ସାମିଲ କରିବୁ ।