ନୂଆଦିଲ୍ଲୀ, ୩୧/୦୭ : ମଣିପୁରରେ ରାଷ୍ଟ୍ରପତି ଶାସନ ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ଲୋକସଭାରେ ମଞ୍ଜୁରୀ ମିଳିଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ପ୍ରସ୍ତାବ ଆଗତ କରି କହିଥିଲେ ଯେ ମଣିପୁରରେ ଚଳିତ ବର୍ଷ ଫେବୃୟାରୀ ୧୩ ତାରିଖ ଦିନ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ବର୍ତ୍ତମାନର ସ୍ଥିତିକୁ ଦେଖି ଏହାର ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ଲାଗି ସେ ଗୃହକୁ ନିବେଦନ କରିଥିଲେ । ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ଦିନଠାରୁ କେବଳ ଗୋଟିଏ ସ୍ଥାନରେ ହିଂସା ଦେଖାଦେଇଥିଲା ଏବଂ ଏହି ଘଟଣାରେ ଜଣଙ୍କର ପ୍ରାଣହାନୀ ହୋଇଥିଲା ବୋଲି ସେ କହିଛନ୍ତି । ଶ୍ରୀ ରାୟ କହିଛନ୍ତି, ଗତ ୪ ମାସ ମଧ୍ୟରେ ରାଜ୍ୟରେ ଆଉ କୌଣସି ଅଘଟଣ ଘଟିନାହିଁ କିମ୍ବା କାହାରୀ ପ୍ରାଣହାନୀ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର ପୂର୍ବାଞ୍ଚଳର ବିକାଶ ଲାଗି ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ୭୮ରୁ ଅଧିକ ଥର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗସ୍ତ କରିଛନ୍ତି । ମଣିପୁରରେ ଆଲୋଚନା ମାଧ୍ୟମରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି । ଏହି ଆଲୋଚନାରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଟି.ଡି.ପି.ର ସାଂସଦମାନେ ମଧ୍ୟ ଭାଗ ନେଇଥିଲେ । ଏହି ଆଲୋଚନା ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
