୭୦୦ ବିଜେପି ନେତାଙ୍କ ମାଷ୍ଟରକ୍ଲାସ୍‌ ନେବେ ଅମିତ ଶାହା

ନୂଆଦିଲ୍ଲୀ ୧୦/୧୧: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶର ବାରଣାସୀରେ ୭୦୦ ବିଜେପି ନେତାଙ୍କ ଶୁକ୍ରବାର ମାଷ୍ଟରକ୍ଲାସ୍‌ ନେବେ । ଏହା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିବେ ଶାହା । ଏହି ବୈଠକରେ ସମସ୍ତ ୯୮ ଜିଲ୍ଲାଧ୍ୟକ୍ଷ ଏବଂ ଜିଲ୍ଲା ପ୍ରଭାରୀ, ସବୁ ୪୦୩ ବିଧାନସଭା ସିଟ୍‌ର ପ୍ରଭାରୀ, ୟୁପିରେ ଦଳର ୬ କ୍ଷେତ୍ରୀୟ ଅଧ୍ୟକ୍ଷ, ସମସ୍ତ ବରିଷ୍ଠ ପଦାଧିକାରୀ ବରଣାସୀ​‌ରେ ଏକଜୁଟ ହେବେ। ଉତ୍ତରପ୍ରଦେଶର ବିଜେପି ଉପାଧ୍ୟକ୍ଷ ବିଜୟ ବାହାଦୂର କହିଛନ୍ତି, ଏହି ମେଗା ମିଟିଂ ପାଇଁ ନଭେମ୍ବର ୧୨ ତାରିଖରେ ପାର୍ଟିର ରାଜ୍ୟ ସ୍ତରୀୟ ସମସ୍ତ ନେତା ବାରଣାସୀରେ ଉପସ୍ଥିତ ରହିବେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ଦେବ ସିଂହ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂରା ଟିମ୍‌ ବାରଣାସୀ ପହଞ୍ଚିବେ । ନଭେମ୍ବର ୧୨ରେ ଅମିତ ଶାହା ବାରଣାସୀ ପହଞ୍ଚିବା ପରେ ଏହି ବୈଠକ ଗୋଟିଏ ଦିନ ଚାଲିବ। ସେପଟେ ଆସନ୍ତା ମାସରୁ ଦଳର ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।