ନୂଆଦିଲ୍ଲୀ, ୭/୧ : କରୋନା ଭାଇରସ ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଫୋନରେ କଲର୍ ଟ୍ୟୁନ୍ ଶୁଣିବାକୁ ମିଳିଛି। ଏହାରି ମଧ୍ୟରେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଆସିଛି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ୱରରେ ଶୁଣାଯାଇଥିବା କରୋନା ସଚେତନତା କଲର ଟ୍ୟୁନ୍ (ହେଲୋ ଟ୍ୟୁନ୍) । ଏହା ପ୍ରାୟତଃ ପ୍ରତି କଲ ଆରମ୍ଭରୁ ଣୁଣିବାକୁ ମିଳୁଛି ।
ଏହି କଲରଟ୍ୟୁନ୍କୁ ବାରମ୍ବାର ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରୁଛନ୍ତି । ତେବେ ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇ ପଡିଲେଣି ଜନସାଧାରଣ । ଏହି କରୋନା କଲର୍ ଟ୍ୟୁନ୍ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରାଯାଇଛି।
ଏହାକୁ ନେଇ ଅମିତାଭ ବଚ୍ଚନଙ୍କର ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି, ‘କରୋନା କଲର ଟ୍ୟୁନ୍ କେବେ ବନ୍ଦ ହେବ ?’ । ଏହାକୁ ନେଇ ପ୍ରତିଜବାବ ମଧ୍ୟ ଦେଇଛନ୍ତି ବିଗ୍ ବି । ସେ ଲେଖିଛନ୍ତି, ‘ମୁଁ ଦେଶ, ପ୍ରାନ୍ତ ଏବଂ ସମାଜ ପାଇଁ ଯାହା କିଛି ବି କରୁଛି କାହା ସମ୍ପୂର୍ଣ୍ଣ ଭାବେ ନିଷୁଳ୍କ । ତେବେ ଯଦି ଆପଣଙ୍କୁ ଏହା କଷ୍ଟ ଲାଗୁଛି ସେଥିପାଇଁ ମୁଁ ଦୁଃଖିତ, କିନ୍ତୁ ଏହାକୁ ବନ୍ଦ କରିବା ମୋ ହାତରେ ନାହିଁ’ ।