ନୂଆଦିଲ୍ଲୀ, ୧୫/୧୧ : ଜମ୍ମୁ ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବିରାଟ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା, ଯାହା କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇଥିଲା । ପୁଲିସ ଷ୍ଟେସନ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା, ଅନେକ ଯାନବାହନ ନିଆଁରେ ପୋଡ଼ି ଯାଇଥିଲା । ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ସୂଚିତ କରୁଛନ୍ତି ଯେ ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ନିଆଁ ଏବଂ ଧୂଆଁର ବଳୟ ଆକାଶକୁ ଉଠିଥିଲା । ଛୋଟ ଛୋଟ ବିସ୍ଫୋରଣର ଲଗାତାର ସିରିଜ୍ ଯୋଗୁଁ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ସେହିପରି ଥାନା ପରିସରରେ ପାର୍କିଂ ହୋଇଥିବା ଏକ ଜବତ କାରରେ ଏକ ଆଇଇଡି ଲଗାଯାଇଥିଲା ଏବଂ ଏହାର ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟରର ଏକ ବଡ଼ ପରିମାଣର ବିସ୍ଫୋରଣ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି। ସେପଟେ ଜୈଶ-ଏ-ମହମ୍ମଦ ସହିତ ଜଡିତ ଏକ ଛାୟା ଗୋଷ୍ଠୀ ପିଏଏଫ୍ଏଫ୍ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି, ଯାହାର ସତ୍ୟତା ଏବେ ତଦନ୍ତାଧୀନ ରହିଛି। କିଛିଦିନ ତଳେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣ ପରେ ପୁଣିଥରେ ଏହି ଘଟଣା ଦେଶକୁ ଦୋହଲାଇ ଦେଇଛି ।