କେନ୍ଦ୍ରାପଡା,୧୬ /୯ : (କେଶବ ଚନ୍ଦ୍ର ନାଥ) – କେନ୍ଦ୍ରାପଡା ସଦର ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କର ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମୃତ୍ୟୁ ହୋଇଯାଇଛି । ଶ୍ରୀଯୁକ୍ତ ଧଳ ସପ୍ତାହେ ହେବ ଅସୁସ୍ଥତା ପାଇଁ ବ୍ଲକ ପରିସରରେ ଥିବା ସରକାରୀ ବାସଭବନରେ ରହି ଚିକିତ୍ସା ହେଉଥିଲେ । ମାତ୍ର ହଠାତ ମଙ୍ଗଳବାର ରାତ୍ରିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟକୁ ଯାଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ କେନ୍ଦ୍ରାପଡା ଜିଲ୍ଲା ବିଜେଡିରେ ଏକ ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ଜୀବନ କାଳରେ ପ୍ରତ୍ୟେକ୍ଷ ରାଜନୀତିରେ ରହି ନିଜର ପତ୍ନୀକୁ ଗାଙ୍ଗପଡା ପଂଚାୟତରୁ ସରପଞ୍ଚ, ପରେ ସେହି ଜିଲ୍ଲା ପରିଷଦ ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ନିର୍ବାଚିତ କରାଇ ଉପାଧ୍ୟାକ୍ଷା ପଦବୀ ଅଳଙ୍କୃତ କରାଇଥିଲେ । ସେହିପରି ବିଧାନ ସଭା ଓ ଲୋକସଭା ନିର୍ବାଚନ ରେ ଦଳ ପାଇଁ ଜଣେ ଆଗଧାଡିର କର୍ମୀ ଭାବେ କାର୍ଯ୍ୟ କରି ସଫଳତା ଆଣିଛନ୍ତି । ଏନେଇ ବୁଧବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ବିଭିନ୍ନ ପଂଚାୟତର ସମର୍ଥକମାନେ ଏକଜୁଟ ହୋଇ ଶବାଧାରରେ ପୁଷ୍ପ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ। ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନେଇ କେନ୍ଦ୍ରାପଡା ସହର ପରିକ୍ରମା କରିବା ପରେ ଗାଙ୍ଗପଡାରେ ସତ୍କାର କରଥିଲେ ।