ଭୂବନେଶ୍ୱର, ୦୪/୦୪ : ଶିଶୁ ବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡି । ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସ୍କୁଲ୍ । ଖଡ଼ିଛୁଆଁ ଉତ୍ସବରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁରେ ହେବ ମଡେଲ ସ୍କୁଲ୍ । ୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ । ଭୁବନେଶ୍ବର ରାଜଭବନ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବା ସହ ପିଲାଙ୍କ ହାତ ଧରି ପାଠ ପଢ଼ାଇଥିଲେ । ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କରି ଖଡ଼ି ଛୁଆଇଁଥିଲେ ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟରେ ଶତ ପ୍ରତିଶତ ନାମ ଲେଖାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ନାମଲେଖାକୁ ରେକର୍ଡ କରିବା ଲାଗି ୫ ଲକ୍ଷ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା । ଏପଟେ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ ନେଇ ବଡ଼ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଜାତୀୟ ଶିକ୍ଷା ନୀତି ହେଲା ପରେ ନୂତନ ବହି ପ୍ରସ୍ତୁତ ହେଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାମାନଙ୍କରେ ୫୦ ପ୍ରତିଶତ ପିଲାଙ୍କୁ ବହି ମିଳିଛି । ଖୁବଶୀଘ୍ର ଖରାଛୁଟି ଭିତରେ ବଳକା ୫୦ ପ୍ରତିଶତ ବହି ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।