ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ : ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ

ନୂଆଦିଲ୍ଲୀ, ୧୧/୦୩ : ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ । ଦୁଇଟି ସନ୍ଦିଗ୍ଧ ଡ୍ରୋନକୁ ପ୍ରତିରକ୍ଷା ବାହିନୀ ଦ୍ୱାରା ଗୁଳିକରି ଖସାଇ ଦିଆଯାଇଥିଲା । ଡ୍ରୋନ ଖସିବାରୁ ୪ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ସୂଚନା ରହିଛି। ଏହି ଘଟଣା ସତ୍ତ୍ୱେ ଦୁବାଇ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି। କୌଣସି ବିମାନ ବାତିଲ କିମ୍ବା ବିଳମ୍ବ ହୋଇନାହିଁ। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସ୍ପଷ୍ଟ କରିଛି ଦୁବାଇ। ଏହି ଡ୍ରୋନ କେଉଁଠାରୁ ଆସିଥିଲା ସେ ନେଇ ତଦନ୍ତ ଜାରି ରଖିଛି ସୁରକ୍ଷା ଏଜେନ୍ସି। ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଥିବା କୁହାଯାଇଛି।ଦୋହାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। କତାର ରାଜଧାନୀ ଦୋହାର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣ ବହୁ ଶକ୍ତିଶାଳୀ ଥିବା ସୂଚନା ମିଳିଛି। ଗଲ୍ଫ ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଦ୍ୱାଦଶ ଦିନରେ ପହଞ୍ଚିଛି। ଆହୁରି ଆକ୍ରମଣ ଆଶଙ୍କା ଥିବାରୁ ନାଗରିକମାନଙ୍କୁ ବାହାରକୁ ନବାହାରିବାକୁ ଦୋହା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ଝରକା ଏବଂ ଖୋଲା ସ୍ଥାନଠାରୁ ଦୂରରେ ରହିବାକୁ କୁହାଯାଇଛି।