ନୂଆଦିଲ୍ଲୀ, ୦୫/୦୪ : ଷ୍ଟାଲିନଙ୍କୁ ଲାଗିଛି ଝଟ୍କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(ନୀଟ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨୦୨୧ ଏବଂ ୨୦୨୨ରେ ତାମିଲନାଡୁ ବିଧାନସଭାରେ ଦୁଇ ଦୁଇ ଥର ଏହା ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଡ଼ିରହିଥିଲା। ତେବେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍କୁ ଖାରଜ କରିଦେଇଛନ୍ତି। ବିଲ୍ ଖାରଜ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ରାଜ୍ୟ ବିଧାନସଭାରେ କହିଛନ୍ତି, ତାମିଲନାଡୁ ସରକାର ନୀଟ୍ ଉଚ୍ଛେଦ ପାଇଁ ବଦ୍ଧପରିକର ଥିଲେ। ଏ ନେଇ ପାରିତ ହୋଇଥିବା ବିଲ୍କୁ ଖାରଜ କରିଦିଆଯିବା ସଂଘୀୟ ବ୍ୟବସ୍ଥାର ଏକ କଳା ଅଧ୍ୟାୟ। କେନ୍ଦ୍ରର ଏହି ନିଷ୍ପତ୍ତି ଉଭୟ ତାମିଲନାଡୁବାସୀ ଏବଂ ବିଧାନସଭାର ନିଷ୍ପତ୍ତିକୁ ଅସମ୍ମାନ ବୋଲି ସେ କହିଛନ୍ତି।