ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା ଦରକାର। ଯଦି ଏଣୁତେଣୁ ଖାଦ୍ୟ ଖାଇବା ଅଭ୍ୟାସରେ ପଡ଼ିଥାଏ ତେବେ ଏହା କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ବିଶେଷଭାବରେ ଜଣେ ବ୍ୟକ୍ତି ଫ୍ୟାଟ୍ଜାତୀୟ ଖାଦ୍ୟ ପ୍ରତି ଅଧିକ ସର୍ତକତା ଅବଲମ୍ବନ କରିବା ଦରକାର। କାରଣ ଏହାର ଖରାପ ପ୍ରଭାବ ଅଧିକ ପରିମାଣରେ ଶରୀର ଉପରେ ପଡ଼ିଥାଏ। ଏଭଳି ଖାଦ୍ୟ ସବୁବେଳେ ଖାଇଲେ ତାହାଦ୍ୱାରା ଷ୍ଟ୍ରୋକ୍ ଆଶଙ୍କା ରହିଛି ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଭଳି ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ପ୍ରାୟ ନିୟମିତ ଫ୍ୟାଟ୍ଜାତୀୟ ଖାଦ୍ୟ ଖାଉଥିବା କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହାର ପ୍ରଭାବ ସେମାନଙ୍କର ମସ୍ତିଷ୍କ ଉପରେ ପଡୁଛି ତାହାକୁ ସେମାନେ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ। ପରିଶେଷରେ ଜଣାପଡିଥିଲା ଯେ, ଏଭଳି ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିଥିଲା। ତେଣୁ ଏଭଳି ଖାଦ୍ୟ ଖାଇବା ଅଭ୍ୟାସକୁ ଯେତେ ସୀମିତ ରଖିବେ ତାହା ସ୍ବାସ୍ଥ୍ୟ ପାଇଁ ସେତେ ଭଲ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
