ନୂଆଦିଲ୍ଲୀ,୧୮/୧୨ : ମେସିଙ୍କ ସ୍ଵପ୍ନ ସାକାର ହେଲା । ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ପେନାଲଟି ସୁଟଆଉଟ୍ରେ ମାତ୍ ଦେଇଛି ଆର୍ଜେଣ୍ଟିନା। ଦୀର୍ଘ ୩୬ ବର୍ଷ ଅପେକ୍ଷାର ଅନ୍ତ ଘଟିଲା। ଫିଫା ବିଶ୍ଵ କପ୍ ୨୦୨୨ର ବିଜୟ ମୁକୁଟ ପିନ୍ଧିଲା ଆର୍ଜେଣ୍ଟିନା। ରୋମାଞ୍ଚକର, ଉତ୍କଣ୍ଠାପୂର୍ଣ୍ଣ ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୩-୩(ପେନାଲଟି ସୁଟଆଉଟ୍୪-୨ ) ଗୋଲ୍ରେ ହରାଇ ତୃତୀୟ ଥର ଫୁଟବଲ୍ ବିଶ୍ଵ କପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା। ଆଉ ଦୁନିଆର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ ଲିଓନେଲ ମେସିଙ୍କ ବିଶ୍ଵ କପ୍ ଜିତିବା ସ୍ଵପ୍ନ ସାକାର ହୋଇଛି। ନିଃଶ୍ଵାସ ଅଟକାଇ ଦେଇଥିବା ଏବଂ ହୃଦ କମ୍ପନ ବଢାଇଦେଉଥିବା ମ୍ୟାଚ୍ରେ ଲିଓନେଲ ମେସି ୨ଟି ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଶ୍ଵ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ଡିଏଗୋ ମାରାଡୋନାଙ୍କ ପରି ମେସି ଦଳର ନେତୃତ୍ଵ ନେଇ ଦଳକୁ ବିଶ୍ଵ ବିଜୟୀ କରାଇଛନ୍ତି। ଏହା ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଏବଂ ୧୯୮୬ରେ ବିଶ୍ଵ ଚାମ୍ପିଅନ ହୋଇଥିଲା। ଅନ୍ୟପଟେ ଫ୍ରାନ୍ସର ତୃତୀୟ ଫିଫା ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ମେସିଙ୍କ ଏହା ଶେଷ ବିଶ୍ଵ କପ୍ ଥିଲା। ଫାଇନାଲ୍ ମୁକାବିଲାରେ ଲିଓନେଲ୍ ମେସି ୨ଟି ଏବଂ ଡି ମାରିଓ ଗୋଟିଏ ଗୋଲ୍ ଦେଇଛନ୍ତି। ଫ୍ରାନ୍ସ ପକ୍ଷରୁ ଏମ୍ବାପେ ୩ଟି ଗୋଲ୍ ଦେଇ ଥିଲେ ହେଁ ଫ୍ରାନ୍ସକୁ ଚାମ୍ପିଅନ କରାଇ ପାରି ନାହାନ୍ତି।
