ମେ’ ୧୦ ରେ କର୍ଣ୍ଣାଟକ ବିଧାନସଭା ଭୋଟ : ୧୩ ତାରିଖରେ ଗଣତି

ଡେସ୍କ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମେ ୧୦ରେ ଭୋଟ ଗ୍ରହଣ କରାଯିବ। ମେ ମାସ ୧୩ ତାରିଖରେ ଭୋଟ ଗଣତି ହେବ। ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୫ କୋଟି ୨୧ ଲକ୍ଷ ମତଦାତା ଅଛନ୍ତି ଓ ସେମାନଙ୍କ ମଧ୍ୟରେ ୧୬ ହଜାର ୯୭୬ ଜଣ ଶତାୟୁ ଭୋଟର ଅଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୫୮ ହଜାରରୁ ଅଧିକ ବୁଥରେ ଭୋଟ ଗ୍ରହଣ କରାଯିବ।

କର୍ଣ୍ଣାଟକ ବିଧାନସଭାରେ ୨୨୪ଟି ଆସନ ଥିବା ବେଳେ ସେଥିମଧ୍ୟରୁ ତଫସିଲଭୁକ୍ତ ଜାତି ପାଇଁ ୩୬ଟି ଓ ତଫସିଲଭୁକ୍ତ ଜନଜାତି ପାଇଁ ୧୫ଟି ଆସନ ସଂରକ୍ଷିତ ରହିଛି। ମୋଟ ୫ କୋଟି ୨୧ ଲକ୍ଷ ୭୩ ହଜାର ୫୭୯ ଜଣ ଭୋଟରଙ୍କ ମଧ୍ୟରୁ ୨ କୋଟି ୬୨ ଲକ୍ଷ ପୁରୁଷ ଓ ୨ କୋଟି ୫୯ ଲକ୍ଷ ମହିଳା ଭୋଟର ଅଛନ୍ତି। ସେଠାରେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୫୫ ହଜାରକୁ ବୃଦ୍ଧି ପାଇଛି।

ପ୍ରତ୍ୟେକ ବୁଥରେ ପ୍ରାୟ ୮୮୩ ଜଣ ଭୋଟର ମତଦାନ କରିବେ। କମିଶନ କହିଛନ୍ତି ଯେ ୨୪୦ଟି ପରିବେଶ ଅନୁକୂଳ ଗ୍ରୀନ ବୁଥ ବ୍ୟବସ୍ଥା କରାଯିବ ଏବଂ ୧୦୦ଟି ବୁଥକୁ କେବଳ ଦିବ୍ୟାଙ୍ଗମାନେ ପରିଚାଳନା କରିବେ। ଏବେ କର୍ଣ୍ଣାଟକ ବିଧାନସଭାରେ ୨୨୪ଟି ଆସନ ମଧ୍ୟରୁ ଶାସକ ବିଜେପିର ୧୧୯ଟି ଆସନ ଥିବା ବେଳେ କଂଗ୍ରେସର ୭୫ ଓ ଜେଡିଏସର ୨୮ଟି ଆସନ ରହିଛି।

ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୧୩ରେ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶନ ହେବାକୁ ଥିବା ବେଳେ ୨୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ, ୨୧ରେ ଯାଞ୍ଚ ଓ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ମେ ୧୫ ସୁଦ୍ଧା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ ହେବ।

SBI AD