ବାଲେଶ୍ୱର,୭ /୧୦ : ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ତତ୍ପରତା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରମୁଖ ରାଜନୈତିକ ଦଳରେ ବିଭିନ୍ନ ଦଳର କର୍ମୀ ଓ ନେତାମାନଙ୍କୁ ନେଇ ଚାଲିଛି ମିଶ୍ରଣ ପର୍ବ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ମଧ୍ୟ ଜାରି ରହିଛି। ବୁଧବାର ଦିନ ବାଲେଶ୍ୱର ସିଦ୍ଧି କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହାମିଶ୍ରଣ ପର୍ବରେ ବରିଷ୍ଠ ନେତା ଅରୁଣ ଦେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି। ତାଙ୍କ ସହିତ କଂଗ୍ରେସ ଦଳର ବହୁ ସକ୍ରିୟ ବରିଷ୍ଠ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେଡ଼ି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ ଦେବ, ବଡ଼ମ୍ବା ବିଧାୟକ ଦେବୀ ମିଶ୍ର, ଜିଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀକୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।