ଭୁବନେଶ୍ୱର,୩/୯: ଆଜି ବିଧାନସଭାର ତୃତୀୟ ଦିନରେ ଗୃହରେ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତ ଦୁଇଦିନ ହେବ କଂଗ୍ରେସ ଚାଷୀ ଓ ମରୁଡ଼ି ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କିନ୍ତୁ ଆଜି କୌଣସି ଚାଷୀ କିମ୍ବା ମରୁଡ଼ି ପ୍ରସଙ୍ଗ ଉଠାଇ ନାହାନ୍ତି ବିରୋଧୀ । ଗତକାଲି ଗୁରୁବାର ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। କିନ୍ତୁ ଉଭୟ ଦଳର ଦାବି ଥିଲା ଭିନ୍ନ। ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାରେ ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରାଯାଇଥିଲା। ବିଜେପି ସଭ୍ୟମାନେ ବ୍ୟାନର୍ ପ୍ରଦର୍ଶନ କରି ନାରାବାଜି କରିଥିଲେ। କିନ୍ତୁ କଂଗ୍ରେସ ପକ୍ଷରୁ ଦାବି ଥିଲା ମରୁଡ଼ି ପ୍ରସଙ୍ଗରେ ଆଉ ଥରେ ଆଲୋଚନା କରି ରାଜସ୍ବ ମନ୍ତ୍ରୀ ଉତ୍ତର ରଖନ୍ତୁ। କାରଣ ଗତକାଲି କୃଷି ମନ୍ତ୍ରୀ ଦେଇଥିବା ଉତ୍ତରରେ ମରୁଡ଼ି ସମ୍ପର୍କରେ ସମ୍ପୂର୍ଣ୍ଣ ଚିତ୍ର ନ ଥିଲା। ଉଭୟ ଦଳ ନିଜ ନିଜ ଦାବିରେ ଗୃହ ମଧ୍ୟରେ ପ୍ରବଳ ହୋହଲ୍ଲା କଲେ। କିଛି ସଭ୍ୟ ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇଥିଲେ। ଗୃହ ସ୍ବାଭାବିକ ଅବସ୍ଥାକୁ ଫେରୁ ନ ଥିବା ଦେଖି ବାଚସ୍ପତି ୧୦ଟା ୩୩ରେ ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ। ବାଚସ୍ପତିଙ୍କ ପ୍ରକୋଷ୍ଠରେ ହୋଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମରୁଡ଼ି ପ୍ରସଙ୍ଗରେ ଆଉ ଥରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହି ଦାବିକୁ ଶାସକ ଦଳ ମାନି ନେଇଥିଲେ।
୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ପୁଣି ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ମରୁଡ଼ି ପ୍ରସଙ୍ଗରେ ଆଉ ଥରେ ଗୃହରେ ଆଲୋଚନା କରାଯିବ ଓ ସରକାର ବିହିତ ପଦକ୍ଷେପ ନେବେ ବୋଲି ବାଚସ୍ପତି ଘୋଷଣା କରିଥିଲେ। କିନ୍ତୁ ବିଜେପି ସଭ୍ୟମାନେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ନାରାବାଜି କରିଥିଲେ। ଫଳରେ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହୋଇ ନ ଥିଲା। ୧୧ଟା ୩୫ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।