ଭୁବନେଶ୍ୱର, ୨୮/୯ : ଆସନ୍ତା କାଲିଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବା ବେଳେ ଏହା ପୂର୍ବରୁ ଗତକାଲି ୭୫୭ ଜଣ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ପରୀକ୍ଷା ହୋଇଥିଲା। ଏଥିରୁ ୧୩୬ ଜଣ କରେନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୧୦୬ଜଣ ସଚିବାଳୟ ଅଧିକାରୀ, କର୍ମଚାରୀଙ୍କ ବାଦ୍ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ, ବିଧାନସଭା କ୍ୟାଣ୍ଟିନ୍ର କର୍ମଚାରୀ, ସାମ୍ବାଦିକ, ୨ଜଣ ଜେଇ ରହିଛନ୍ତି। ଏପରିକି ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବା ୮/୯ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏମିତି ମାଳମାଳ ପଜିଟିଭ୍ ବାହାରିବା ପରେ ଏଭଳି ପରିସ୍ଥିତିରେ ଆଗାମୀ ବିଧାନସଭା ପରିଚାଳନାକୁ ନେଇ ଏକପ୍ରକାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ୍ କୋଭିଡ୍ ପରୀକ୍ଷା କରିଥିଲେ। ଏଥିରେ ପ୍ରମିଳା ମଲ୍ଲିକ୍ ଓ ଦେବୀ ପ୍ରସାଦ ମିଶ୍ର ପଜିଟିଭ୍ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଆଜି ୭୦ଜଣ ବିଧାୟକ ଓ ତାଙ୍କ ପିଏସ୍ଓଙ୍କୁ ମିଶାଇ ୨ଶହରୁ ଅଧିକ ଆରଟି-ପିସିଆର ନମୁନା ସଂଗ୍ରହ କରାଯାଇଛି। ସେମାନଙ୍କ ନମୁନା ରିପୋର୍ଟକୁ ଅପେକ୍ଷା କରାଯାଇଛି।