ନୂଆଦିଲ୍ଲୀ, ୦୨/୦୩ : ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଥିବା ନିଲମ୍ବିତ ପୋଲିସ ଅଧିକାରୀ ଶେଷରେ ଆତ୍ମସମର୍ପଣ କରିଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ ବଳିଆରସିଂହ କୋରାପୁଟର ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘ ୬ ମାସ ପରେ ସେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ପ୍ରାୟ ୭ ବର୍ଷ ତଳେ ରାଜେଶ ବଳିଆରସିଂହ ଜୟପୁର ଟାଉନ ଥାନାରେ ଏସଆଇ ଭାବେ କାର୍ଯ୍ୟରତ ଥିଲେ । ଗଞ୍ଜେଇ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସହିତ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ ଥିଲା । ଏହାରି ମଧ୍ୟରେ ପୁରୀ ଅସ୍ତରଙ୍ଗକୁ ସେ ଆଇଆଇସିଭାବେ ବଦଳି ହୋଇ ଆସିଥିଲେ । ସେପଟେ କୋରାପୁଟ ପୋଲିସ ଗଞ୍ଜେଇ ମାଫିଆଙ୍କ ସହିତ ଆଇଆଇସିଙ୍କ ସମ୍ପର୍କ ଥିବା ନେଇ ଜାଣିବା ପରେ ଭୁବନେଶ୍ୱରରେ ପହଁଚିଥିଲା । ଅଗଷ୍ଟ ୧୪ ତାରିଖରେ ରାଜେଶଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ପଚରାଉଚରା କରାଯାଇଥିଲା । ଏହା ପରେ ସେ ହଠାତ୍ କେଉଁଆଡ଼େ ଫେରାର ହୋଇାଯାଇଥିଲେ । ତାଙ୍କ ପତ୍ନୀ ବି ଜଣେ ପୋଲିସ ଅଧିକାରୀ । ପୋଲିସ ତାଙ୍କ ଭୁବନେଶ୍ୱର ୟୁନିଟ୍-୨ ଥିବା ସ୍ତ୍ରୀଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ଉ କରିଥିଲା । ମାତ୍ର ତାଙ୍କର ସନ୍ଧାନ ମିଳିନଥିଲା । ଗତବର୍ଷ ଅଗଷ୍ଟ ୧୫ ତାରିଖରେ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଡିଜିପି ନିଲମ୍ବିତ କରିଥିଲେ । ସେବେଠାରୁ ଆଇଆଇସି ରାଜେଶ ବଳିଆରସିଂହ ଆତ୍ମ ଗୋପନ କରିଥିଲେ ।