ଭୁବନେଶ୍ୱର,୨/୧ : ରାଜ୍ୟ ରାଜନୀତିରେ ଆଠଗଡ ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନେତା । କେବଳ ସେତିକି ନୁହେଁ ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ପଦ୍ମଭୂଷଣ ଡଃ ରାଧାନାଥ ରଥ,ପବିତ୍ର ମୋହନ ପ୍ରଧାନ, ରାସମଞ୍ଜରୀ ଦେବୀ, ଅଚ୍ୟୁତାନନ୍ଦ ଦାସ, ରସାନନ୍ଦ ସାହୁ , ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ବହୁ ରାଜନେତା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ ଗୌରବ ବୃଦ୍ଧି କରିଥିଲେ। ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୭ଥର ଆଠଗଡର ବିଧାୟକ ରହିଆସିଛନ୍ତି । ନିଜର ପାରିବାପଣିଆ,ବିରୋଧୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଓ ରାଜନୀତିର ଯେକୌଣସି ପାଣିପାଗରେ ଗୋଟିଚାଳନା କରି ଅପ୍ରତିଦ୍ୱନ୍ଦୀ ନେତା ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ରାଜ୍ୟ ରାଜନୀତିରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିଛନ୍ତି। ପଛୁଆବର୍ଗର ଉତଥାନ ହେଉ ବା ତଳସ୍ତରର ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ନିଜେ ଆଗଭର ହୋଇଥାନ୍ତି। ସେଥିପାଇଁ ଏକାଧିକବାର ମନ୍ତ୍ରୀ ସହିତ ଦଳର ତାରକା ପ୍ରଚାରକ ଭାବରେ ତାଙ୍କର ମଧ୍ୟ ବେଶ ପତିଆରା ରହିଛି। ହେଲେ ଏବେ ଆଠଗଡ ରାଜନୀତିରେ ବେଶ ସକ୍ରିୟ ହୋଇପଡିଛନ୍ତି ତାଙ୍କର ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ । କେତେବେଳେ ଶ୍ରମିକ ସଂଗଠନର ନେତୃତ୍ୱ ନେଇ ଶ୍ରମିକମାନଙ୍କ ସ୍ୱାର୍ଥ ସାଧନ ପାଇଁ ଅଣ୍ଟାଭିଡୁଛନ୍ତି ତ, ପୁଣି କେତେବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଯୁବକମାନଙ୍କ ସହିତ ବିଭିନ୍ନ ସାଂସ୍କୃତିକ ସାମାଜିକ, କ୍ରୀଡା ଓ ଜନକଲ୍ୟାଣ କାର୍ଯ୍ୟରେ ଯୋଗଦେଉଛନ୍ତି। ଏପରିକି ଦଳୀୟ ପଦଯାତ୍ରାରେ ମଧ୍ୟ ଆଗଭର ହୋଇ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ଜନସାଧାରଣଙ୍କୁ ଦେଉଛନ୍ତି ।
ନିର୍ବାଚନମଣ୍ଡଳୀକୁ ତୋଫାନିଗ୍ରସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଆଦିତ୍ୟଙ୍କ ଯୋଗଦାନ ସୁଚାଇ ଦେଇଛି ଆଗାମୀ ବିଧାନସଭା ନିର୍ବାଚନରେ ସେ ଧରିବେ ଆଠଗଡର ମଙ୍ଗ। ଏଥିରେ ବାପା ରଣେନ୍ଦ୍ର ମଧ୍ୟ ଏକ ପ୍ରକାର ସମ୍ମତି ପ୍ରଦାନ କରି ସୁଯୋଗ ମଧ୍ୟ ଦେଉଛନ୍ତି। ନିଜେ ରଣେନ୍ଦ୍ର ବରିଷ୍ଠ ଦଳୀୟ ନେତା ପ୍ରଫୁଲ ଚନ୍ଦ୍ର ଘଡେଇ, ପ୍ରଭାତ ତ୍ରୀପାଠୀ, ପ୍ରଭାତ ବିଶ୍ୱାଳ, ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ, ସ୍ୱର୍ଗତ କଳ୍ପତରୁ ଦାସଙ୍କ ଭଳି ନିଜର ପୁତ୍ରକୁ ମଧ୍ୟ ଆଠଗଡରେ ଉତ୍ତରାଧିକାରୀ ଭାବରେ ବାଛି ଦେଇଛନ୍ତି । ଯଦିଓ ଉପରୋକ୍ତ ନେତାଙ୍କ ମଧ୍ୟରୁ କେହି ସ୍ୱର୍ଗବାସୀ ହୋଇଗଲେଣି, ଆଉ ଯେଉଁମାନେ ଅଛନ୍ତି ଦଳରେ ସେମାନଙ୍କ ସେତେ ପ୍ରଭାବ ନାହିଁ । ହେଲେ ରଣେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ସେମାନଙ୍କ ଠାରୁ ସ୍ୱତନ୍ତ୍ର ଓ ନିଆରା। ଜଣେ ସଂକଟମୋଚକ ରାଜନେତା ଓ ତାରକା ପ୍ରଚାରକ ଭାବରେ ବିରୋଧୀ ପକ୍ଷକୁ ମାତ୍ ଦେଇ ଦଳ ସପକ୍ଷରେ ଭୋଟ କରାଇବାରେ ମାହିର ଅଟନ୍ତି । ଯାହାକି ଉପନିର୍ବାଚନ ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିର୍ବାଚନରୁ ବେଶ ବାରିହୋଇପଡେ। ଏଥିରୁ ବୁଝାପଡି ଯାଉଛି ରଣେନ୍ଦ୍ର ଆଠଗଡ ନିର୍ବାଚନ ମଣ୍ଡଳୀ ନିଜ ପୁଅ ଆଦିତ୍ୟ ପାଇଁ ଛାଡିଦେବା ପରେ ଦଳର ସାଂଗଠନିକ ଦାୟିତ୍ୱରେ ସକ୍ରିୟ ରହି ଦଳକୁ ମଜବୁତ କରିବେ। ହେଲେ ଦଳୀୟ ସଂଗଠନ ଦାୟିତ୍ୱରେ ଥିବା ନେତୃତ୍ୱ ରଣେନ୍ଦ୍ରକୁ ସଂଗଠନ ଦାୟିତ୍ୱ ଦେବ ନା ଅନୁଭବୀ ନେତା ଭାବରେ ରାଜ୍ୟର ସ୍ୱାର୍ଥ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇଁ ରାଜ୍ୟ ସଭାକୁ ପଠାଇବ ତାହା ସେମାନଙ୍କ ଉପରେ ନିର୍ଭର କରୁଛି। ମୋଟାମୋଟି ଭାବରେ କହିବାକୁ ଗଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ଦୀର୍ଘ ରାଜନୈତିକ ଜୀବନରେ ବହୁ ଉତଥାନ ପତନ ଦେଇ ଆଠଗଡକୁ ନିଜର କର୍ମସ୍ଥଳ ଓ ଜନ୍ମସ୍ଥଳ ଭାବରେ ଏକାକାର କରି ଦେଇଛନ୍ତି। ତେଣୁ ଏବେ ଆଠଗଡ ନିର୍ବାଚନମଣ୍ଡଳୀରେ ବେଶ ଚର୍ଚ୍ଚା ଓ ରାଜନୈତିକ ଉଷ୍ମତା ଭରିଦେଇଛି ।
