ଶୁଟିଂ ଚାଲିଛି ‘ବାଲିଯାତ୍ରା’ : ୫ରେ ଲୋକାର୍ପଣ କରିବେ ରାଜ୍ୟପାଳ

ଭୁବନେଶ୍ଵର : ପ୍ରାଚୀନ କଳିଙ୍ଗର ସୁପ୍ରସିଦ୍ଧ ସାଧବମାନଙ୍କର ସ୍ୱର୍ଣ୍ଣିମ ଇତିହାସର ଏକ ମାର୍ମିକ ନାଟ୍ୟାଭିନୟ ହେଉଛି ‘ବାଲିଯାତ୍ରା’। ସାଧବମାନଙ୍କର ଅସାଧାରଣ ଅନୁଭୂତିକୁ ମୂର୍ତ୍ତିମନ୍ତ କରିବାର ଏକ ଅଭିନବ ପ୍ରୟାସ। ପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ କାବ୍ୟାତ୍ମଜ ଅନୁସୃଜନ ଉପରେ ଆଧାରିତ ଏକ ଗୌରବୋଜ୍ବଳ ନାଟ୍ୟରୂପାନ୍ତରଣ ‘ବାଲିଯାତ୍ରା’। ଏହାର ପରିକଳ୍ପନା ଓ ଗୀତ ରଚନା ସାଙ୍ଗକୁ ସଙ୍ଗୀତ ନିର୍ଦ୍ଦେଶନାର ଗୁରୁ ଦାୟିତ୍ୱ ବହନ କରିଛନ୍ତି ନିଜେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ। ନିର୍ଦ୍ଦେଶନା ଦେଉଛନ୍ତି ବିନି ସାମଲ। ସାଇଶ୍ରଦ୍ଧା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ନାଟ୍ୟାୟନଟିକୁ ଦେଶବିଦେଶରେ ପହଞ୍ଚାଇବା ତଥା ଅତୀତର ଗୌରବ ଗାଥାକୁ ପୁନର୍ଜୀବିତ କରିବା ଲାଗି ବିନି ସାମଲଙ୍କର ଏହା ଅନନ୍ୟ ପ୍ରୟାସ।

ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ସୁକାନ୍ତ ରଥ, ଅଖିଳ ପଟ୍ଟନାୟକ, ସାହେବ ସିଂ, ସୋହମ, ଶୁଭାଶିଷ, ଶକ୍ତି ବରାଳ, ଶମ୍ଭୁ ଖୁଣ୍ଟିଆ, ମିଲୁ, ହିତୈଶା ବାଗ, ଲଭରିନ ଖାନ, ସୌମ୍ୟା ସୁଚରିତା ସାହୁ, ସୁଶ୍ରୀ ସଙ୍ଗୀତା ବେହେରା, ମାମାଲି ସାହୁ, ଲିପ୍ସା ମହାରଣା ଓ ପ୍ରିୟଙ୍କା ସାହୁ। କୋରିଓଗ୍ରାଫିରେ ଅଛନ୍ତି ବବି ଇସଲାମ। ପାରିକୁଦ ଓ ଭିଙ୍ଗାରପୁରଠାରେ ଏହାର ସୁଟିଂ ଚାଲିଛି। ଆସନ୍ତା ୫ତାରିଖରେ ଉତ୍କଳ ମଣ୍ଡପରେ ଏହା ରାଜ୍ୟପାଳଙ୍କ ହାତରେ ଲୋକାର୍ପିତ ହେବ। ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ମାର୍ଗଦର୍ଶନ ଓ ବିନି ସାମଲଙ୍କ ପ୍ରଚେଷ୍ଟାରେ ‘ଶ୍ରୀଜଗନ୍ନାଥଙ୍କ ନବ କଳେବର’ର ସଫଳତା ପରେ ଏଥର ‘ବାଲିଯାତ୍ରା’ର ନାଟ୍ୟାଭିନୟ ସଫଳ ରୂପରେଖ ନେବାକୁ ଯାଉଛି।

 

SBI_Festive_Digital Billboard