କେନ୍ଦ୍ରାପଡା, (କେଶବ ଚନ୍ଦ୍ର ନାଥ) : କରୋନା ମହାମାରୀ ଯୋଗୁ ବାହାର ରାଜ୍ୟର ଶିଳ୍ପାଂଚଳରୁ ଜୀବିକା ଛାଡି ସୁରକ୍ଷିତ ଜୀବନ ପାଇଁ କିଛି ମାସ ତଳେ ଗାଁକୁ ଫେରିଥିବା ପ୍ରବାସୀମାନେ ବିଦେଶ ମୁହାଁଇଲେଣି । ନବୀନ ସରକାରଙ୍କ ଶ୍ରମମନ୍ତ୍ରଣାଳୟର ଶ୍ରମିକ ନିୟୋଜନ ବ୍ୟବସ୍ଥା ପ୍ରବାସୀମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉନି । ଯାହା ନେଇ କିଛି ମାସ ତଳେ ବିଦେଶ ଯିବାକୁ ନା କରୁଥିବା ଶ୍ରମିକ ରୋଜଗାର ଶୂନ୍ୟ ହୋଇ ପେଟପାଟଣା ନେଇ ବାହାରକୁ ଗୋଡ଼ କାଢ଼ିଲେଣି । ଏହି ନିରୀହ ପ୍ରବାସୀ ମାନଙ୍କ ଦୁର୍ବଳତାର ସୁଯୋଗ ଅପେକ୍ଷାରେ ଥିବା ଦଲାଲମାନେ ମହାମାରୀ ସମୟରେ ଚେଇଁ ଉଠିଛନ୍ତି । ଯାହାନେଇ କେନ୍ଦ୍ରାପଡା ଜିଲାର ବିଭିନ୍ନ ଅଂଚଳକୁ ସୁରତ, କେରଳ, ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟରୁ ଦଲାଲମାନେ ବସ ଧରି ଶ୍ରମିକ ଅନ୍ୱେଷଣରେ ଗାଁକୁ ଗାଁ ଘୁରି ବୁଲୁଛନ୍ତି । ସେହିଭଳି ଶନିବାର ଦିନ କେରଳ ରାଜ୍ୟର ଚାରିଜଣ ଚତୁର ଦଲାଲ ଜଣେ ସ୍ଥାନୀୟ ଦଲାଲ ସହାୟତାରେ ଅଭିନଵ ଉପାୟରେ ପାଣି ପାଇପ ଶ୍ରମିକ ଯୋଗାଡ଼ ଚଳାଇଥିବା ବେଳେ ପ୍ରଶାସନ ସେମାନଙ୍କୁ କାବୁ କରିଛି ।
ଆଳି ବ୍ଲକର ସିଙ୍ଗିରିର ବେସରକାରୀ ଶୁଭମ କଲ୍ୟାଣ ମଣ୍ଡପଠାରେ ଦଲାଲମାନେ ଶ୍ରମିକମାନଙ୍କର ଏକ ସାକ୍ଷାତ କରି ଦକ୍ଷ ଶ୍ରମିକ ଚୟନ ପ୍ରକ୍ରିୟା ଜାରି ରଖିଥିଲେ । କୋଭିଡ କଟକଣା ଭୁଲି ଶହ ଶହ ଶ୍ରମିକ ଜୀବିକା ଲକ୍ଷ୍ୟରେ ଏକଜୁଟ ହୋଇଥିଲେ। ସାକ୍ଷାତକାରରେ ଉତ୍ତୀର୍ଣ୍ଣ ଶ୍ରମିକ ହାତରୁ ବାଟ ଖର୍ଚ୍ଚ କରି କାର୍ଯ୍ୟ ସ୍ଥଳୀକୁ ଯିବାର ଚୁକ୍ତି ରଖିଥିଲେ । ଦଲାଲଙ୍କ ଚୁକ୍ତିରେ ସହମତି ଥିବା ଶ୍ରମିକମାନେ ଅର୍ଥାଭାବ ସମୟରେ ସୁନା ରୁପା ଆଦି ଅଳଙ୍କାର ବିକ୍ରି କରି ବିଦେଶ ଯାତ୍ରାକୁ ଅପେକ୍ଷାରେ ଆହୁରି ମଧ୍ୟ ସାକ୍ଷାତ କାରରେ ଚୟନ ପାଇଁ ଆବଶ୍ୟକ ସ୍ଥଳେ ଯୋଗାଡ଼ ପଇସାରୁ ଦଲାଲଙ୍କୁ ହାତଗୁଂଜା ଦେବାକୁ ମଧ୍ୟ ପଡୁଥିବାର ସ୍ଥାନୀୟ ଲୋକେ କହନ୍ତି । ଆଜି ସିଙ୍ଗିରି ଠାରେ ଏହି ବେଆଇନ କାର୍ଯ୍ୟ କଳାପ ବିଷୟରେ ଜିଲାପାଳ ସମର୍ଥ ବର୍ମା ସୂଚନା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ଆଳି ପୋଲିସକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଆଳି ଥାନା ଅଧିକାରୀ ସଲିଳ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଚୟନ ପ୍ରକ୍ରିୟାରେ ବ୍ୟବହୃତ ଲାପଟପ ଓ ବେଆଇନ କାଗଜ ପତ୍ର ଜବତ କରିଛନ୍ତି । କାର୍ଯ୍ୟରତ ୫ଦଲାଲଙ୍କ ନାମେ ମାମଲା ଋଜୁ କରିବା ସହିତ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି ।