ଭାରତ – ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ : ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୬ /୨

ସିଡ୍‌ନୀ,୮/୧ : ସିଡ୍‌ନୀ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ଖେଳ ଜାରି ରହିଛି । ସିଡ଼ନୀ ଟେଷ୍ଟର ୨ଦିନର ଖେଳ ଶେଷ ହୋଇଛି । ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୪୫ ଓଭରରେ ୨ ଓ୍ୱିକେଟ୍‌ ହରାଇ ୯୬ରନ୍‌ କରିଛି । ଭାରତ ପକ୍ଷରୁ ୨ୟ ଦିନ ଖେଳ ଶେଷ ସୁଦ୍ଧା ଶୁଭମନ୍‌ ଗିଲ୍‌ ସର୍ବାଧିକ ୫୦ରନ୍‌ ଏବଂ ରୋହିତ ଶର୍ମା ୨୬ ରନ୍‌ ପାଭିଲିୟନ ଫେରିଛନ୍ତି ।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟେଲିଆ ଦଳ ମୋଟ ୧୦୫.୪ ଓଭର ଖେଳି ସମସ୍ତ ଓ୍ୱିକେଟ୍‌ ହରାଇ ୩୩୮ ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୧୩୧ରନ୍‌ କରିଥିବା ବେଳେ ଓ୍ୱିଲ୍‌ ସୁକୋଭିସ୍କ ୬୨ରନ୍‌, ଲାବୁସେନ ୯୧ରନ୍‌, ଓ୍ୱାଡେ ୧୩, ଓ୍ୱାର୍ଣ୍ଣର ୫ରନ, ଷ୍ଟାର୍କ ୨୪ରନ୍, ଟିମ୍‌ ପେନ୍‌ ୧ରନ୍‌ କରିଛନ୍ତି । ଟିମ୍‌ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଜସପ୍ରୀତ ବୁମ୍‌ରାହ ୨ଟି, ମହମ୍ମଦ ସିରାଜ ଗୋଟିଏ , ନଭଦୀପ ସାଇନି ୨ଟି ଓ୍ୱିକେଟ୍ ‌ନେଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଓପନର । ରୋହିତ ଶର୍ମା ଓ ଶୁଭମନ୍‌ ଗିଲ୍‌ ଦଳକୁ ଭଲ ଆରମ୍ଭ ଦେଇନଥିଲେ । ଦଳୀୟ ସ୍କୋର ୭୦ରନ୍‌ ହୋଇଥିବା ବେଳେ ରୋହିତ ଶର୍ମା ହେଜେଲହୁଡ଼ଙ୍କ ଶୀକାର ହୋଇଥିଲେ । ଏହାପରେ କ୍ରିଜରେ ଥିବା ଶୁଭମନ ଗିଲ୍‌ଙ୍କ ସହଯୋଗ ପାଇଁ ଆସିଥିଲେ ଚେତେଶ୍ୱର ପୂଜାରା । କିନ୍ତୁ ନିଜର ଅର୍ଦ୍ଦଶତକ ହାସଲ ପରେ ଦଳୀୟ ସ୍କୋର ୮୫ରନ୍‌ ହୋଇଥିବା ବେଳେ ଶୁଭମନ୍‌ ଗିଲ୍‌ କମିନସ୍‌ଙ୍କ ଶୀକାର ହୋଇଥିଲେ । ଶୁଭମନ ୧୦୧ ବଲ୍‌ରେ ୫୦ରନ୍‌ ସଂଗ୍ରହ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ଖୁବଶୀଘ୍ର ହରାଇଦେଇଥିଲେ ଟିମ୍ ଇଣ୍ଡିଆ । ଏହାପରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଖେଳ ଜାରି ରଖିଥିଲେ । ୨ୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨ଟି ଓ୍ୱିକେଟ୍‌ ହରାଇ ୯୬ରନ୍‌ରେ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲେହୁଡ ଓ କମିନସ୍‌ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ହାସଲ କରିଛନ୍ତି ।