ଅଟୋ ଓଲଟି ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ

ରାଇରଙ୍ଗପୁର,୮/୨: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ସୁଣ୍ଢଳ ଗ୍ରାମ ନିକଟରେ ଅଟୋ ଓଲଟି ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ପୁରୁଣାଘାଟି ଗ୍ରାମର ଅଙ୍ଗନବାଡ଼ି ସହାୟିକା ଗୁରୁବାରୀ ମାଝୀ ଏବଂ ତାଙ୍କ ସ୍ବାମୀଙ୍କ ସହ ଅନ୍ୟ ଜଣେ ଅଙ୍ଗନବାଡ଼ି ସହାୟିକା କୁଚେଇ ବୁଢୀ ଗ୍ରାମର ସାବିତ୍ରୀ ଲୋହାର ଏକ ଅଟୋ ଯୋଗେ କୋରୋନା ଟୀକା ନେବା ପାଇଁ ଗୋରୁମହିଷାଣୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ଅଟୋ ଭାରସାମ୍ୟ ହରାଇ ସୁଣ୍ଢଳ ଗ୍ରାମ ନିକଟରେ ଓଲଟି ପଡିଥିଲା। ଗୁରୁତର ଅବସ୍ଥାରେ ଅଙ୍ଗନବାଡି ସହାୟିକାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ସାବିତ୍ରୀ ଲୋହାର ଏବଂ ସାଙ୍ଗରେ ଥିବା ଗୁରୁବାରୀ ମାଝୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।