ଶ୍ରୀରାମ ମନ୍ଦିର ଉଡାଇବାକୁ ପାକିସ୍ଥାନରୁ ଆସିଲା ଧମକ

ନୂଆଦିଲ୍ଲୀ, ୦୩/୦୮ : ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ଉଡାଇବାର ଧମକ ମିଳିଛି । ବୀଡ ଶିରୁର କସାର ଅଞ୍ଚଳର ଜଣେ ଯୁବକଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଧମକ ମିଳିଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି । ଧମକ ଦେଇଥିବା ଅଭିଯୁକ୍ତ ପାକିସ୍ତାନର ବାସିନ୍ଦା ବୋଲି ସ୍ବୀକାର କରିଛି । ଏଥି ସହିତ ଷଡଯନ୍ତ୍ରରେ ସାମିଲ ହେବାକୁ ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶିର ପ୍ରଲୋଭନ ଦେଖାଇଛି ଅଭିଯୁକ୍ତ । ଯୁବକ ଜଣକ ତାଙ୍କ ସୋସିଆଲ ମିଡିଆ ପେଜ ଚଲାଉଥିବା ସମୟରେ ତାଙ୍କୁ ଏକ ପାକିସ୍ଥାନୀ ଆକାଉଣ୍ଟରୁ ସନ୍ଦିଗ୍ଧ ଜଣଙ୍କର ମେସେଜ୍ ଆସିଥିଲା । ଯେଉଁଥିରେ ସନ୍ଦିଗ୍ଧ ଜଣକ କହିଥିଲେ ଯେ, RDX ସାହାଯ୍ୟରେ ଅଯୋଧ୍ୟା ଶ୍ରୀରାମ ମନ୍ଦିର ଉଡାଇବାକୁ ଚାହାଁନ୍ତି । ଏହି ଷଡଯନ୍ତ୍ରରେ ସାମିଲ ହେବା ପାଇଁ ୫୦ ଜଣ ଲୋକ ଆବଶ୍ୟକ । ଏଥିରେ ଯେଉଁମାନେ ସାହାଯ୍ୟ କରିବେ ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଦିଆଯିବ । ଅନ୍ୟପଟେ ଶିରୁର ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି । ରାମ ମନ୍ଦିର ପାଇଁ ଚାଲିଥିବା ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ବିପଦକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି । ସୋସିଆଲ ମିଡିଆ ପେଜରେ ଆସିଥିବା ମେସେଜ୍ ଏବଂ ଅଡିଓ ରେକର୍ଡ ଶୁଣି ଏହା ସତ ବୋଲି ନିଶ୍ଚିତ ହୋଇଛି ପୋଲିସ । ଏନେଇ ବର୍ତ୍ତମାନ ସାଇବର ସେଲ୍ ସମେତ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଦିଗ୍ଧ ବ୍ୟକ୍ତି କରାଚୀର ସ୍ଥାନ ପଠାଇ ନିଜକୁ ପାକିସ୍ତାନୀ ପ୍ରମାଣିତ କରିବାକୁ ଚେଷ୍ଟା କରିଛି । କିନ୍ତୁ ସେ ପ୍ରକୃତରେ ପାକିସ୍ତାନର ନାଗରିକ କି ନାହିଁ, ତାହା ତଦନ୍ତ ପରେ ହିଁ ଜଣାପଡିବ ।