ବାହାରିନ୍ ରେ ଗଣେଶ ମୂର୍ତ୍ତି ଭାଙ୍ଗିଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ

ନୂଆଦିଲ୍ଲୀ,୧୬ /୮: ବାହାରିନ୍‌ର ଏକ ସୁପର୍‌ମାର୍କେଟ୍‌ରେ କେତୋଟି ଗଣେଶ ପ୍ରତିମା ଚଟାଣରେ କଚାଡ଼ି ଭାଙ୍ଗିଥିବା ଜଣେ ମହିଳାଙ୍କ ବିରୋଧରେ ବାହାରିନ ପୁଲିସ ମାମଲା ରୁଜୁ କରିଛି।

ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଜଣାପଡ଼ିଛି। ସେଥିରେ ଦେଖାଯାଉଛି ସୁପର୍‌ମାକେର୍ଟରେ ଗଣନାଥ ପ୍ରତିମା ସଜ୍ଜିତ ହୋଇ ରହିଥିବା ଦୁଇଟି ଥାକ ମଧ୍ୟସ୍ଥଳରେ ଦୁଇଜଣ ବୁର୍ଖା ଆବୃତା ମହିଳା ଠିଆହୋଇଛନ୍ତି। ଆଗକୁ ଗଣେଶ ଚତୁର୍ଥୀ ଆସୁଥିବାରୁ ବିକ୍ରୟ ନିମନ୍ତେ ସୁପର୍‌ମାର୍କେଟ୍‌ ଥାକରେ ଗଣେଶଙ୍କ ପ୍ରତିମା ଡିସ୍‌ପ୍ଲେ କରାଯାଇଥିଲା। ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଗୋଟିକ ପରେ ଗୋଟିଏ ଗଣେଶ ପ୍ରତିମା ଚଟାଣରେ କଚାଡ଼ି ଚୂନା କରୁଥିବା ବେଳେ ଅନ୍ୟ ମହିଳାଜଣକ ମୋବାଇଲ୍‌ ଫୋନ୍‌ରେ ‌ଏହି ଦୃଶ୍ୟ ରେକର୍ଡ କରୁଛନ୍ତି। ମହିଳାଜଣକ ଆରବୀ ଭାଷାରେ ମଲ୍‌ ଆଟେଣ୍ଡାଣ୍ଡ୍‌ଙ୍କୁ କିଛି ଆପତ୍ତି କରି କହୁଥିବାର ଶୁଭୁଛି।

ଘଟଣାଟି ବାହାରିନ୍‌ର ରାଜଧାନୀ ମନାମା ପାଖ ଜୁଫୈର୍‌ରେ ଥିବା ଏକ ସୁପର୍‌ମାର୍କେଟ୍‌ରେ ଘଟିଥିବା ରିପୋର୍ଟ କରାଯାଇଛି। କିନ୍ତୁ, ବାହାରିନ୍ ପୁଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୫୪ ବର୍ଷୀୟ ସେ ମହିଳାଙ୍କ ବିରୋଧରେ ଗୋଟିଏ ସମ୍ପ୍ରଦାୟର ଧାର୍ମିକ ଆବେଗ ଓ ପ୍ରଥାକୁ ଅସମ୍ମାନ କରିଥିବା ଅଭିଯୋଗ ଦାଏର କରାଯାଇଛି।

ବାହାରିନ୍ ଗୃହମନ୍ତ୍ରାଳୟ ମଧ୍ୟ ଟୁଇଟ୍‌ କରି ସୁନିଶ୍ଚିତ କରିଛି ଯେ, ଜୁଫୈର୍‌ରେ ଦୋକାନ ନଷ୍ଟ କରିବା ସହ ଏକ ଧାର୍ମିକ ସମ୍ପ୍ରଦାୟ ଓ ତା’ର ପ୍ରଥାକୁ ଅସମ୍ମାନିତ କରିଥିବା ସେ ମହିଳାଙ୍କୁ ଅଦାଲତକୁ ନେବାକୁ ପୁଲିସ ଆଇନଗତ ପଦକ୍ଷେପ ଗ୍ରହଣ କରିଛି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବାହାରିନ୍‌ରେ ସମ୍ପ୍ରତି ବାହାରିନ୍‌ର ଜନସଂଖ୍ୟା ୧. ୩ ନିୟୁତ ହୋଇଥିବା ବେଳେ ସେଥିରୁ ଭାରତୀୟଙ୍କ ସଂଖ୍ୟା ହେଉଛି ପ୍ରାୟ ୪ ଲକ୍ଷ। ୨୦୧୦ ଜନଗଣନା ଅନୁସାରେ ବାହାରିନ୍ ଜନସଂଖ୍ୟାର ୯.୮% ହେଉଛନ୍ତି ହିନ୍ଦୁ।