ଭୁବନେଶ୍ୱର, ୧୨/୦୬ (ପ୍ରଦୀପ୍ତ ଦାସ) : ଭୁବନେଶ୍ୱର ରେଳ ଷ୍ଟେସନର ଉତ୍ତରପୂର୍ବ ପାର୍ଶ୍ଵରେ ରହିଛି ପୁରୁଣା ରେଳ କଲୋନୀ।କିଛିବର୍ଷ ତଳେ ସମ୍ପୃକ୍ତ ଅଂଚଳରେ ବିଭାଗୀୟ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ନିର୍ମାଣ ହୋଇଛି ଏକ ବଡ଼ ଆବାସିକ ଆପାର୍ଟମେଣ୍ଟ।ତେବେ ନିୟମିତ ସଫେଇରେ ଅବହେଳା କାରଣରୁ ଏହାର ସମ୍ମୁଖ ପ୍ରବେଶପଥ ପାର୍ଶ୍ୱରେ ଦୀର୍ଘ ଦିନ ହେଲା କୁଢ଼କୁଢ଼ ଅଳିଆ ଆବର୍ଜନା ଗଦାହୋଇ ପଡ଼ିରହିଥିବା ଦେଖିବାକୁ ମିଳୁଛି।ଏଥିସହିତ କାଳବୈଶାଖୀ ଝଡ଼ବର୍ଷା ଯୋଗୁଁ ଉକ୍ତ ଅଳିଆଗଦାରେ ପାଣିପଶି ସଢ଼ିବା ଫଳରେ ସେଠାରେ ପୁତିଗନ୍ଧମୟ ସ୍ଥିତି ସୃଷ୍ଟି ହେଉଛି।ନିୟମିତ ସଫେଇ ଓ ଉଠାଣ ଅଭାବରୁ ପରିମଳ ସମସ୍ୟା ଉପୁଜି ସେଠାରେ ଏପରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ତେବେ ରେଳ ବିଭାଗ ପକ୍ଷରୁ ରେଳ ଷ୍ଟେସନ ପରିସର,ଏହାର ଚତୁର୍ପାଶ୍ୱ ଓ ରେଳ କର୍ମଚାରୀଙ୍କ ଆବାସିକ କଲୋନୀ ଅଞ୍ଚଳକୁ ପରିଷ୍କାର ପରିଛନ୍ନ ସହ ଏଥିରେ ସ୍ୱଛତା ବଜାୟ ରଖିବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।କେତେକ ବେସରକାରୀ ଠିକା ସଂସ୍ଥାକୁ ଏକ୍ଷେତ୍ରରେ ନିୟମିତଭାବେ ଉତ୍ତମ ମାନର ପରିମଳ ସେବା ଯୋଗାଇଦେବାକୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି। ଏହାକୁ ତଦାରଖ କରିବାକୁ ବିଭାଗୀୟ ସ୍ୱାସ୍ଥ୍ୟ ଅଧିକାରୀ,ସ୍ୱାସ୍ଥ୍ୟ ନିରୀକ୍ଷକ ଓ ଅଧସ୍ତନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।ମାତ୍ର ଖୋଦ ରେଳ କର୍ମଚାରୀମାନଙ୍କ ଏହି ଆବାସିକ ଆପାର୍ଟମେଣ୍ଟ ସମ୍ମୁଖ ଦ୍ୱାରଦେଶ ପାର୍ଶ୍ୱରେ ଦୀର୍ଘଦିନ ଧରି ପଡ଼ିରହିଆସୁଥିବା ଏପରି ଅଳିଆ ଆବର୍ଜନା ଗଦା ଉପରେ ନଜର ପକାଇଲେ ଏଦିଗରେ ନିୟମିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି।ମାତ୍ର ଏଥିପ୍ରତି ରେଳ ବିଭାଗର ନିଘା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ।ଅପର ପକ୍ଷରେ ଏସମ୍ପର୍କରେ ବିଭାଗୀୟ ମୁଖ୍ୟ ସ୍ୱାସ୍ଥ୍ୟ ନିରୀକ୍ଷକ ତଥା ସିଏଚଆଇଙ୍କୁ ପଚାରିବାରେ ସେଠାରେ ତଳେ ଡେବ୍ରିସ ରହିଯାଇଛି। ତାଉପରେ ଏହି ଅଳିଆ ସବୁ ପଡ଼ିଥିବାରୁ ତାହା ଅଧିକ ଗଦାହୋଇ ରହିଥିବା ଭଳି ଦେଖାଯାଉଛି ବୋଲି କହିଥିଲେ।ତେବେ ଏହାକୁ ଖୁବଶୀଘ୍ର ଉଠାଇନେବା ସହ ସେଠାରେ ନିୟମିତ ସଫେଇ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।