ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଦୁଇ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯିବ। ତେବେ ନିମ୍ନ ଅଦାଲତରେ ୬ ଲକ୍ଷ ଟଙ୍କା ଜମା କରିବାକୁ ପ୍ରଦୀପଙ୍କୁ ନିର୍ଦ୍ଦେଶ ହୋଇଛି।
ସୂଚନାନୁଯାୟୀ , ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୬ ଲକ୍ଷ ଟଙ୍କାର ଠକେଇ ନେଇ ଅଭିଯୋଗ ରହିଥିଲା। ଏହି ମାମଲାରେ ଜାମିନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତରେ ୬ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ଏତଲାକାରୀଙ୍କୁ ପ୍ରଦାନ କରାଯିବ। ଯଦି ମାମଲାର ଟ୍ରାଏଲ ସମୟରେ ପ୍ରଦୀପଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହୁଏ ତେବେ ରାୟ ପ୍ରକାଶର ଏକ ସପ୍ତାହ ଭିତରେ ଏତଲାକାରୀ ଏହି ଅର୍ଥ ନିମ୍ନ ଅଦାଲତରେ ଜମା କରିବେ ଏବଂ ଜମାରାଶି ତାଙ୍କୁ ଫେରାଇ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି।