ଭୁବନେଶ୍ୱର, ୧୬/୦୭ : ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ । ସକାଳ ୬ରୁ ଦିନ ୨ଟା ଯାଏ ବନ୍ଦ ପାଳନ କରୁଛି ବିଜେଡି । ଦୋକାନ ବଜାର ସହ ସ୍କୁଲ, କଲେଜ ଓ ଗାଡି ଚଳାଚଳ ବନ୍ଦ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀକାଳୀନ ସେବା ଜାରି ରହିବ । ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବନ୍ଦ ପାଳନ କରାଯାଉଛି । ଛାତ୍ରୀଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡିଯାଇଥିଲା। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏମସରେ ଚିକିତ୍ସିତ ହେଉଥିବା ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ । ମନକୁ ଏହା ବିଚଳିତ କରୁଛି ଯେ, କିପରି ଗୋଟିଏ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇପାରେ । ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ଏକ ବ୍ୟବସ୍ଥାର ଫଳ । ନ୍ୟାୟ ପାଇବା ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଲା । ପୂରା ଘଟଣାକ୍ରମରୁ ଜଣାପଡ଼ୁଛି ଏହା ଏକ ଆନୁଷ୍ଠାନିକ ବିଶ୍ବାସଘାତକତାରୁ କିଛି କମ୍ ନୁହଁ, ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ । ଜଣେ କେହି ବି ଯଦି ଉତ୍ତରଦାୟିତ୍ବ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ ତେବେ ହୁଏତ ଝିଅଟିର ଜୀବନ ବଞ୍ଚାଯାଇଥାଆନ୍ତା ବୋଲି ନବୀନ ପଟ୍ଟନାୟକ କହିଥିଲେ ।
