ଭିଜିଲାନ୍ସ ଭୟରେ ୪ଦିନ ହେଲାଣି ଥାନା ଆଇଆଇସି ଫେରାର

ବାଲେଶ୍ୱର,୫/୭: ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କୁ ନେଇ ଏବେ ବିଭିନ୍ନ ଆଲୋଚନା ଚାଲିଛି । ଥାନାରେ ଭିଜିଲାନ୍ସ ଚଢ଼ଉ ହେବା ପରେ ହଠାତ୍‌ ସେ ଛୁଟିରେ ରହିବା, ମୋବାଇଲ ସୁଇଚ୍‌ଅପ ରହିବା ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୁଲିସ ଏସ୍‌ଆଇ ଧରାପଡ଼ିଥିବା ଘଟଣାରେ ସେ ପରୋକ୍ଷରେ ସମ୍ପୃକ୍ତି ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଭଳି ପରିସ୍ଥିତିରେ ଆଇଆଇସିଙ୍କ ନିରବତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ଗତ ୧ ତାରିଖରେ ଟାଉନ୍‌ ଥାନାରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା । ଏକ ଜମିବାଡ଼ି ମାମଲାର ଫଇସଲା କରାଇ ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ୨ ଜଣଙ୍କୁ ଧରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏସ୍‌ଆଇ ବିମଳ କୁମାର କର, ଅନ୍ୟ ଜଣେ ମଧ୍ୟସ୍ଥି ସନ୍ତୋଷ କୁମାର ଦାସ । ଏହି ଘଟଣା ପରେ ଟାଉନଥାନା ଆଇଆଇସିଙ୍କ ସହ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନଥିଲା ।

ଏହି ଲାଞ୍ଚ କାରବାର ତାଙ୍କ ଜାଣତରେ ହିଁ ହେଉଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଟାଉନ ଥାନାରେ ଏମିତି ଅନେକ ଘଟଣା ତାଙ୍କ ଜାଣତରେ ହୋଇଛି । ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ପ୍ରତିକ୍ରିୟା ମଧ୍ୟ ଆଇଆଇସିଙ୍କୁ ସନ୍ଦେହ ପରିସରକୁ ଆଣୁଛି । ଏହି ପରିପ୍ରେକ୍ଷୀରେ ଏସ୍‌ପି ଶ୍ରୀମିଶ୍ର କହିଛନ୍ତି, ଏହି ଘଟଣା ପରଠାରୁ ଭିଜିଲାନ୍ସ ଅଧିକାରୀ ଆଇଆଇସିଙ୍କୁ ବାରମ୍ବାର ଯୋଗାଯୋଗ କରୁଛନ୍ତି । ତାଙ୍କର କୌଣସି ଖୋଜ୍‌ଖବର ମିଳୁନି । ସେ ଏହି ତଦନ୍ତରେ ସହଯୋଗ କରୁନାହାନ୍ତି । ତାଙ୍କୁ ବାଲେଶ୍ୱର ଏସ୍‌ପିଙ୍କ ମାଧ୍ୟମରେ ନୋଟିସ୍‌ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏସ୍‌ପି ଶ୍ରୀମିଶ୍ର ପ୍ରତିକ୍ରିୟାକୁ ନେଇ ଟାଉନଥାନା ଆଇଆଇସି ସନ୍ଦେହ ପରିସରାକୁ ଆସିବା ସ୍ୱାଭାବିକ ।