ଭୁବନେଶ୍ୱର, ୦୬/୦୮ : ଅପହରଣ ହୋଇଥିବା ଜଣେ ୧୫ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇସାରିଥିଲେ । ପୁଲିସ ଏ ପର୍ଯ୍ୟନ୍ତ ଉଦ୍ଧାର ନ କରିପାରିବା ଘଟଣାରେ ହାଇକୋର୍ଟ ପୁଲିସର ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାରେ ବାଲେଶ୍ବର ଏସ୍ପିଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପୀଡ଼ିତାଙ୍କ ମାଙ୍କ ତରଫରୁ ଦାୟର ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦେଶ ପ୍ରଦାନ କରିଛନ୍ତି। ୨୦୨୫ ମାର୍ଚ୍ଚ ୨୬ ରାତି ଅଧରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ତରଫରୁ କମର୍ଦା ଥାନାରେ ଏତଲା ଦିଆଯାଇଥିଲା। ହେଲେ ପଦକ୍ଷେପ ଗ୍ରହଣ କରି ନ ଥିଲା। ଫଳରେ ପୀଡ଼ିତାଙ୍କ ମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ବେଳେ ଜଣାପଡ଼ିଥିଲା ଯେ ପୀଡ଼ିତାଙ୍କୁ ସାଙ୍ଗରେ ନେଇ ଜଣେ ମହିଳା ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ସହ ସେଠାରେ ପୀଡ଼ିତା ଗର୍ଭବତୀ ବୋଲି ଅଙ୍ଗ ନବାଡ଼ି କର୍ତ୍ତୃପକ୍ଷଙ୍କୁ କହିଥିଲେ। ସେଠାରେ ଉକ୍ତ ମହିଳାଜଣକ ପୀଡ଼ିତାଙ୍କ ଶାଶୁ ବୋଲି ପରିଚୟ ଦେଇଥିଲେ । କୌଣସି ସହଯୋଗ ଅଙ୍ଗନବାଡ଼ି କେନ୍ଦ୍ର କର୍ତ୍ତୃପକ୍ଷ ସେମାନଙ୍କୁ ଫେରାଇ ଦେଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଥିଲେ ମଧ୍ୟ ଅଙ୍ଗନବାଡ଼ି ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ବାଲେଶ୍ବର ଏସ୍ପି ନିଜେ ଏହି ଘଟଣାରେ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ; ମାତ୍ର ଅଦାଲତରେ କନିଷ୍ଠ ଅଧିକାରୀ ଉତ୍ତର ରଖିବାରୁ ଅଦାଇତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସପନ କୁମାର ପାଇ ମାମଲା ପରିଚାଳନା କରୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆଜି କରାଯିବ ।