ଆଜି ସରସ୍ୱତୀ ପୂଜା, ଉତ୍ସବମୂଖର ଗାଁ ଠୁ ସହର

ଭୁବନେଶ୍ୱର, ୨୩/୦୧ : ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ। ଆଜି ମା’ ସରସ୍ବତୀଙ୍କୁ ଆରାଧନାର ଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ କରାଯାଇଥାଏ। ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ। ମା’ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ। ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ। ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥିବାରୁ ଏହି ଦିନରେ ବିଭିନ୍ନ କାର୍ୟ୍ୟର ଶୁଭାରମ୍ଭ କରାଯାଇଥାଏ। ସରସ୍ୱତୀ ପୂଜାରେ ପରିବେଶ ସୁରକ୍ଷାର ବାର୍ତା। ବର୍ଜ୍ୟବସ୍ତୁରୁ ସୁନ୍ଦର ସାଜସଜ୍ଜା, ଟ୍ରେନ ଟିକେଟରେ ନିମନ୍ତ୍ରଣ ପତ୍ର। ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରଶିକ୍ଷକ ଏବଂ ବିଦ୍ୟାର୍ଥୀମାନେ ଏପରି ପ୍ରୟାସ କରିଛନ୍ତି। ଟ୍ରେନ ଟିକେଟ୍‌ରେ ନିମନ୍ତ୍ରଣ ପତ୍ର ଛାପିଛନ୍ତି ଏବଂ ପୂଜାମେଢକୁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସୁନ୍ଦରଭାବେ ସଜାଇଛନ୍ତି। ଏହା ସାଧାରଣରେ ପ୍ରଶଂସା ସାଉଁଟିଛି। ଗତ ଗଣେଷ ପୂଜା ସମୟରେ ମଧ୍ୟ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷ୍ଟକାର୍ଡରେ ନିମନ୍ତ୍ରଣ ପତ୍ର ଛାପି ଚର୍ଚ୍ଚା ଓ ପ୍ରଶଂସା ପାଇଥିଲେ।