ଭୁବନେଶ୍ୱର,୨୦/୯ : (ପ୍ରଦୀପ୍ତ କୁମାର ଦାସ) – ପ୍ରଶାସନିକ ଅବହେଳା ଯୋଗୁଁ ରାଜଧାନୀ ତଥା ଭୁବନେଶ୍ୱର ସ୍ମାର୍ଟ ସିଟିରେ ଥିବା ମୁକୁଳା ଡ୍ରେନ ଗୁଡିକ ମରଣ ଯନ୍ତାରେ ପରିଣତ ହୋଇଛି ବୋଲି ଦୁଇ ବିରୋଧୀ ଦଳ ଏବେ ଆପତ୍ତି ଉଠାଇ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି । ତେବେ ଗତକାଲି ଖଣ୍ଡଗିରି ଥାନା ଅନ୍ତର୍ଗତ ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀ ଅଂଚଳରେ ଥିବା ଏକ ମୁକୁଳା ଡ୍ରେନରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭାସିଯିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ପରି ମର୍ମନ୍ତୁଦ ଦୁର୍ଘଟଣା ମାମଲାକୁ ନେଇ ଏହା ଏବେ ବେଶ ତେଜିବାରେ ଲାଗିଛି । ସମ୍ପୃକ୍ତ ଛାତ୍ରଙ୍କ ନାମ ଜ୍ୟୋତିପ୍ରକାଶ ବେହେରା । ସେ ସାଇକେଲ ଯୋଗେ ରାସ୍ତା ପାରି ହେବା ବେଳେ ଡ୍ରେନରେ ପଡି ଭାସିଯିବା ପରେ ନିଖୋଜ ହୋଇ ଯାଇଥିଲେ । ପରେ କିଛି ଦୂରରେ ତାଙ୍କର ମୃତ ଶରୀରକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା । ତେବେ ଏହାକୁ କେନ୍ଦ୍ରକରି ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳ ସ୍ୱରୂପ ଉଭୟ ଦଳ ପକ୍ଷରୁ ଯେଉଁମାନେ ଏପରି ମର୍ମନ୍ତୁଦ ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ଦାବୀ କରାଯାଇଛି ।

ଏହି କ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଦାୟୀ ବିଏମସି କର୍ତୃପକ୍ଷ ଓ ଅନ୍ୟମାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି ଏବଂ ବିଏମସି ଅଫିସ ସମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି । ସେହିପରି ଛାତ୍ର କଂଗେସ ପକ୍ଷରୁ ମଧ୍ୟ ଏନେଇ ପ୍ରତିବାଦ ସ୍ୱରୂପ ରାସ୍ତାରୋକ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ରାଜଧାନୀର ବିଭିର୍ନ ଅଂଚଳରେ ଥିବା ଏପରି କେତେକ ମୁକୁଳା ଡ୍ରେନରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଗଲାଣି । ଅଥଚ ସରକାର ଏହାର ସ୍ଥାୟୀ ପ୍ରତିକାର ଦିଗରେ ବେପରୁଆ ମନୋଭାବ ପୋଷଣ କରି ଆସୁଛନ୍ତି । ତେବେ ଏଠାରେ ପ୍ରକାଶ ଯୋଗ୍ୟ ଯେ ବିଏମସି ଅଂଚଳରେ ମୋଟ ପ୍ରାୟ ୫୬୦ କିମି ଡ୍ରେନ ରହିଥିବା ସ୍ଥଳେ ତନ୍ମଧ୍ୟରୁ ପ୍ରାୟ ୨୩୦ କିମି ଡ୍ରେନ ମୁକୁଳା ଅବସ୍ଥାରେ ରହିଥିବା କୁହାଯାଉଛି । ଗତବର୍ଷ ନୂଆପଲ୍ଲୀ ସାଲିଆ ସାହି ଏକାମ୍ର ଭୀଲ୍ଲା ଅଂଚଳରେ ଏପରି ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ତା ପୂର୍ବ ବର୍ଷ ଇୟୁନିଟ ୪ ସ୍ଥିତ ପିଚୁ ପଡିଆ ବସ୍ତିର ହରି ପଟନାୟକ ନାମକ ବ୍ୟକ୍ତି ଏପରି ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଇଥିଲେ । ଏହା ପୂର୍ବ ବର୍ଷ ସ୍ଥାନୀୟ ଗଙ୍ଗ ନଗର ଅଂଚଳରେ ଥିବା ଏପରି ଏକ ଖୋଲା ନିର୍ମାଣାଧୀନ ଡ୍ରେନରେ ପଡି ସେ ଅଂଚଳର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ସେହିପରି ୨୦୧୭ ରେ ଚନ୍ଦ୍ର ଶେଖରପୁର ଅଂଚଳରରେ ଥିବା ଏକ ଖୋଲା ଡ୍ରେନରେ ପଡି ଦୁଇ ଜଣ ସ୍ଥାନୀୟ ଲୋକ ଏପରି ଦୁର୍ଘଟଣାର ଶିକାର ହୋଇ ଥିଲେ । ଏହା ପୂର୍ବ ବର୍ଷ ମଧ୍ୟ ଅନୁରୂପ ଭାବେ ନୂଆପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲ ନିକଟରେ ଜଣେ ନାବାଳିକା ମୁକୁଳା ନାଳରେ ପଡି ଜୀବନ ହରାଇଥିଲେ ।

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗାଇଡ଼ ଲାଇନ ଅନୁସାରେ ଜନ ସାଧାରଣଙ୍କ ନିରାପତ୍ତା ଦୃଷ୍ଟିକୋଣରୁ କୌଣସି ଡ୍ରେନକୁ ମୁକୁଳା ରଖାନଯାଇ ତାଉପରେ ଘୋଡଣି ତଥା ସ୍ଲାବ ପକାଇବା ବ୍ୟବସ୍ଥା କରିବା ଜରୁରୀ । ତେବେ ଭୁବନେଶ୍ୱର ସ୍ମାର୍ଟସିଟିରେ ଗତ କିଛି ବର୍ଷ ଧରି ଦେଖାଦେଇଥିବା ସଂଗୀନ ଡ୍ରେନେଜ ସମସ୍ୟାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ୨୦୧୮ ରେ ସରକାର ୧ ହଜାର କୋଟୀ ଟଙ୍କାର ବ୍ୟୟ ବରାଦ କରିଥିଲେହେଁ ତାହା ଅଦ୍ୟାବଧି ଫଳପ୍ରଦ ହୋଇପାରିନାହିଁ । ଏପରି ସ୍ଥିତିରେ ଜଣେ ଅବସରପ୍ରାପ୍ତ ବୈଷୟିକ ବିଶେଷଜ୍ଞ କହିଛନ୍ତିଯେ ଏକ୍ଷେତ୍ରରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତ୍ତିରେ ଆଶୁ ନିରାପଦ ବ୍ୟବସ୍ଥା ଉପରେ ସରକାର ଅଧିକ ଯତ୍ନବାନ ହେବା ଏବେ ନିହାତି ଜରୁରୀ ହୋଇପଡିଛି ।