ଭୁବନେଶ୍ୱର,୧୨/୯: (ପ୍ରଦୀପ୍ତ କୁମାର ଦାସ) – ରାଜଧାନୀ ହୋଇପଡିଛି ଅସୁରକ୍ଷିତ l ଅସାମାଜିକ, ମଦ୍ୟପ,ଚୋର,ଡକାୟତ,ଠକ ଓ ଲୁଟେରାଙ୍କ ଭଳି ଅପରାଧୀମାନଙ୍କ ଦୌରାତ୍ମ୍ୟ ଏଠାରେ ଦିନକୁ ଦିନ ସୀମା ଲଙ୍ଘିବାରେ ଲାଗିଛି l ଏବେ ସ୍ମାର୍ଟ ସିଟିରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇଛି l ମାତ୍ର କମିସନରଟ ପୋଲିସ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ ହୋଇଛି l ତାର ଝଲକ ଦେଖିବାକୁ ମିଳିଛି ଶନିବାର ରାତିରେ ସ୍ବିଗୀ ଡେଲିଭରି ବୟ ପତିତପାବନ ପୃଷ୍ଟିଙ୍କ ରହସ୍ୟମୟ ଅପହରଣ ଘଟଣାରେ l ତେବେ ଏହି ଘଟଣା ନେଇ ପତିତପାବନଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ବେଶ ଚିନ୍ତାଜନକ ଓ ସମ୍ବେଦନଶୀଳ ବୋଲି କୁହାଯାଉଛି lଶନିବାର ସନ୍ଧ୍ୟାରେ ଲିଂଗିପୁର ଅଂଚଳରେ ସପରିବାରେ ରହୁଥିବା ପତିତପାବନ ସ୍ବିଗି ଡେଲିଭରି କାମରେ ଘରୁ ବାହାରି ଯାଇଥିଲେ l ରାତି ପ୍ରାୟ ୯ ଟା ବେଳେ ସେ ଫୋନ କରି ସୁନ୍ଦରପଦାରେ ତାଙ୍କର ଶେଷ ଡେଲିଭରି ଦେଇ ଘରକୁ ଫେରିବେ ବୋଲି କହିଥିଲେ l ତେବେ କିଛି ସମୟ ପରେ ସେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ ଯେ ସୁନ୍ଦରପଦାରୁ ସାମନ୍ତରାପୁର ଯିବା ରାସ୍ତାରେ ତାଙ୍କ ବାଇକ ଖରାପ ହୋଇଯାଇଛି l ସେଠାରେ ଚାରୀ ପାଞ୍ଚ ଜଣ ମଦ୍ୟପ ଦୁର୍ବୃତ୍ତ ପିଛା କରୁଥିବାରୁ ତାଙ୍କୁ ଭୟ ଲାଗୁଛି ବୋଲି ଜଣାଇଥିଲେ l ଏହାର କିଛି ସମୟ ପରେ ପ୍ରାୟ ୧୦.୪୫ ରେ ସେ ପୁଣି ଆଉଥରେ ଭୟେସ ମେସେଜ ଜରିଆରେ ତାଙ୍କ ପତ୍ନୀଙ୍କୁ ଅତି ଭୟଭୀତ ଅବସ୍ଥାରେ ବାଷ୍ପରୁଦ୍ଧ ସ୍ୱରରେ ଦୁର୍ବୃତ୍ତ ମାନେ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ଫୋନ ଲୁଟିନେଇ ବଳପୂର୍ବକ ଏକ ଡାଲା ଅଟୋରେ ଅପହରଣ କରିନେଇଯାଉଛନ୍ତି ବୋଲି ଜଣାଇଥିଲେ l ସେଥିରେ ସେ ଉତ୍ତରାଠାରୁ ଭୁବନେଶ୍ୱର ଆଡକୁ ଦୟାବ୍ରିଜ ନୂଆଗାଁ ନିକଟରେ ସେମାନେ କେଉଁଆଡେ ତାଙ୍କୁ ଜୋର ଜବରଦସ୍ତ ନେଇଯାଉଥିବା କଥା ଜଣାଇ ତାଙ୍କୁ ଉଦ୍ଧାର କରିବାକୁ ଆକୁଳରେ ଜଣାଇଥିଲେ l

ମାତ୍ର ଉକ୍ତ ଭୟେସ ମେସେଜ ବାବଦରେ ଘର ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଣିପାରିନଥିଲେ l ତେବେ ଦୀର୍ଘ ସମୟ ଧରି ତାଙ୍କ ଫୋନ ସ୍ବିଚ ଅଫ ଦେଖାଇବାରୁ ପରିବାର ଲୋକେ ଚିନ୍ତାରେ ପଡି ଥିଲେ l ହେଲେ ବିଳମ୍ବିତ ରାତିରେ ଭଏସ ମେସେଜ ଦେଖିବାପରେ ଘର ଲୋକେ ସଙ୍ଗେ ସଙ୍ଗେ ବିଭିନ୍ନ ଜାଗାକୁ ଯାଇ ଖୋଜାଖୋଜି କରିଥିଲେହେଁ ତାଙ୍କର କିଛି ପତ୍ତା ମିଳିନଥିଲା l ତେଣୁ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ l ମାତ୍ର ବିଡମ୍ବନାର କଥାଯେ ତାଙ୍କ ପରବାର ଲୋକମାନେ ପତିତପାବନ ଜଣାଇଥିବା ସ୍ଥାନ ସମ୍ପର୍କରେ ସହାୟତା ପାଇଁ ପ୍ରଥମେ ଧଉଳି ଥାନା ଓ ପରେ ଲିଙ୍ଗରାଜ ଥାନାକୁ ଏତଲା ଦେବାକୁ ଯାଇଥିଲେ l ମାତ୍ର ଦୁଇ ଥାନା ପକ୍ଷରୁ ଘଟଣା ସ୍ଥଳ ଆମ ଥାନା ଇଲାକାରେ ନୁହେଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ lଏହିପରି ଭାବେ ପୋଲିସ ବିଳମ୍ବିତ ରାତିରେ ତାଙ୍କ ପରିବାର ଲୋକଙ୍କୁ କିଛି ଘଣ୍ଟା ଧରି ଘଣାଇଥିଲେ l ଅବଶ୍ୟ ପରେ ଧଉଳି ଥାନାରେ ପତିତପାବନଙ୍କ ଭାଇଙ୍କ ଠାରୁ ଏତଲା ଗ୍ରହଣ କରିବା ପରେ ପୋଲିସ ଓ ପରିବାର ଲୋକେ ମିଶି ଦୟାବ୍ରିଜ ନିକଟସ୍ଥ ବନ୍ଧ ରାସ୍ତାର ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରୁ ପତିତପାବନଙ୍କ ବ୍ୟାଗ,ଜୋତା,ଡ୍ରେସ,ପାଣି ବୋତଲ ଓ ଏକ ବଡ଼ ଛୁରା ପଡ଼ିଥିବା ଦେଖିଥିଲେ lପୋଲିସ ସେ ସବୁକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ପତିତପାବନଙ୍କର କିମ୍ବା ତାଙ୍କ ବାଇକର କୌଣସି ପତ୍ତା ମିଳିନଥିଲା l ତେବେ କେଉଁ ପରିସ୍ଥିତିରେ କିଏ ଓ କାହିଁକି ତାଙ୍କୁ ଏପରି ଅପହରଣ କଲେ ତାହା ଏବେ ନାନା ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟିକରିଛି
l ଏପରି ସ୍ଥିତିରେ ତାଙ୍କ ପରିବାର ପକ୍ଷରୁ ପତିତପାବନଙ୍କର କାହା ସହିତ ପୂର୍ବରୁ କିଛି ଶତ୍ରୁତା କିମ୍ବା ବିବାଦ ନଥିବା କୁହାଯାଇଛି l ଅନ୍ୟ ପକ୍ଷରେ ଏନେଇ ଧଉଳି ଥାନା ପୋଲିସ କେସ ନଂ 138/21 ମୁଳେ ଏକ ଲୁଟ ଓ ଅପହରଣ ମାମଲା ରୁଜୁ କରି ତଦନ୍ତକୁ ତ୍ଵରାନ୍ବିତ କରିଥିବା କୁହାଯାଉଛି l ମାତ୍ର ଠିକଣା ସମୟରେ ପୋଲିସ ତପ୍ତରତା ଦେଖାଇଥିଲେ ହୁଏତ ପତିତପାବନଙ୍କୁ ଉଦ୍ଧାର କରାଯାଇପାରିଥାନ୍ତା ବୋଲି ତାଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି l