ଭୁବନେଶ୍ୱର,୧୫/୯: ବହୁ ଚର୍ଚ୍ଚିତ ସ୍ବିଗି ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣାର ପର୍ଦାଫାଶ ହୋଇଛି l ପ୍ରେମ ପାଇଁ ଖୋଦ ନିଜେ ନିଜର ଅପହରଣ ନାଟକ ରଚିଥିଲେ l ତେବେ ଏକ ନାଟକୀୟ ମୋଡରେ ତାଙ୍କର ଏସବୁ କାରନାମାର ଖୁଲାସା ହେବା ପରେ ପୋଲିସ ଓ ସାଧାରଣରେ ଏନେଇ କୌତୁହଳ ସୃଷ୍ଟି ହୋଇଛି l ଶନିବାର ରାତିରେ ଧଉଳି ଥାନା ଅନ୍ତର୍ଗତ ଲିଂଗିପୁର ଅଂଚଳର ଚିକୁ ଓରଫ ପତିତପାବନ ପୃଷ୍ଟିଙ୍କୁ କିଛି ଦୁର୍ବୃତ୍ତ ଛୁରୀ ମାରି ବଳପୁର୍ବକ ଅପହରଣ କରିନେଇଛନ୍ତି ବୋଲି ସ୍ଥାନୀୟ ପୋଲିସ ନିକଟରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା l ତେବେ ଅଭିଯୋଗକୁ ଭିତ୍ତିକରି ଧଉଳି ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ତେବେ ଚିକୁର କୃତ୍ରିମ ଭଏସ ମେସେଜ ସହ ଅପହରଣ ଘଟଣା ସ୍ଥଳ ଓ ଏହାର ପାରିପାର୍ଶ୍ଵିକ ସ୍ଥିତିକୁ ସେତେବେଳେ ଅନୁଧ୍ୟାନ କରାଯିବାବେଳେ ମାମଲାଟି ଅତ୍ୟନ୍ତ ରହସ୍ୟା ବୃତ୍ତ ଓ ସନ୍ଦେହଜନକ ଜଣାପଡୁଥିଲା l
ତେବେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା ଗୋପ ବଳଙ୍ଗା ଅଂଚଳର ଜଣେ ଯୁବତୀର ନିଖୋଜ ହେବାନେଇ ତାଙ୍କ ବାପା ଓ ମା ଯେତେବେଳ ବଳଙ୍ଗା ଥାନାରେ ପତିତପାବନକୁ ସନ୍ଦେହ କରି ତାଙ୍କ ଝିଅକୁ ସେ ଅପହରଣ କରିଥିବା ନେଇ ଏତଲା ଦେଇଥିଲେ l ଇତିମଧ୍ୟରେ ତଦନ୍ତ ଚଳାଇଥିବା ପୋଲିସ ଟିମ ପତିତପାବନ ଓ ସମ୍ପୃକ୍ତ ଯୁବତୀ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ପଳାଇଥିବା ସନ୍ଦେହ କରି ଆରପିଏଫ ର ସହାୟତା ନେଇଥିଲେ l ପରେ ଆର ପି ଏଫ ପକ୍ଷରୁ ଅନୁସନ୍ଧାନ କରାଯାଇ ସେମାନେ ଟ୍ରେନରେ ମଧ୍ୟପ୍ରଦେଶରେ ଯାଇ ପହଂଚିଥିବା ଜଣାପଡିଥିଲା l ଏହାକୁ ଆଧାର କରି ମଧ୍ୟପ୍ରଦେଶ ପୋଲିସ ସହାୟତାରେ ଉଭୟଙ୍କୁ ସେଠାରେ ଠାବ କରାଯାଇଥିଲା l ସେଠାକାର ପୋଲିସ ଦୁହିଁଙ୍କୁ ସେଠାରେ ଅଟକ ରଖି ପଚରାଉଚରା କରିବାରେ ସବୁକଥା ଖୋଲି ଯାଇଥିଲା l ଖବର ପାଇ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ପୋଲିସ ଟିମ ସେମାନଙ୍କୁ ସେଠାରୁ ଆଣିବାଲାଗି ଇତିମଧ୍ୟରେ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି l
ତେବେ ମିଳିଥିବା ସୂଚନା ଅନୁଯାୟୀ ଆଠମାସ ତଳେ ପତିତପାବନ ଅହଲ୍ୟାଙ୍କୁ ବିଭାହ କରିଥିଲେ l ମାତ୍ର ବଳଙ୍ଗା ଅଂଚଳର ଏକ ଗ୍ରାମରେ ତାର ମାଉସୀ ରହୁଥିବାରୁ ସେ ସେଠାକୁ ଯିବା ଆସିବା କରିବା ଭିତରେ ଉକ୍ତ ଯୁବତୀ ସହିତ ତାର ପ୍ରେମ ସମ୍ପର୍କ ଗଢିଉଠିଥିଲା l ହେଲେ ବିବାହ କରିଥିବାରୁ ଉକ୍ତ ଯୁବତୀ ସହିତ ତାର ପୂର୍ବପରି ପ୍ରେମ ସମ୍ପର୍କ ଅତୁଟ ରହିଥିଲା l ତେବେ ଉଭୟେ କିପରି ଏହାକୁ ବଜାୟ ରଖି ପରସ୍ପର ବିଭା ହ କରିବେ ସେ ଦିଗରେ ସୁଚିନ୍ତିତ ଯୋଜନା କରି ଥିବା କୁହାଯାଉଛି l ତଦନୁଯାୟୀ ଏହାକୁ ସାକାର କରିବାକୁ ଯାଇ ଚିକୁ ନିଜେ ଏପରି ଅପହରଣ ନାଟକ ରଚିଥିଲେ ବୋଲି କୁହାଯାଉଛି l