ରାଜଧାନୀରେ ଜଣେ ଇନ୍ସପେକ୍ଟରଙ୍କ ଦାୟିତ୍ବରେ ଓଜନ ଓ ମାପ ନିୟନ୍ତ୍ରଣ : ସ୍ମାର୍ଟ୍ ସିଟିରେ ଏମିତି ଚାଲିଛି ଖାଉଟି କଲ୍ୟାଣ !

ଭୁବନେଶ୍ୱର,୩୦/୧: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ଵର ସ୍ମାର୍ଟ୍ ସିଟିରେ ଓଜନ ଓ ମାପ ନିୟନ୍ତ୍ରଣ କ୍ଷେତ୍ରରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ଏତେ ବଡ ସହରରେ ଏବେ ଜଣେ ମାତ୍ର ଇନସ୍ପେକ୍ଟର ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ତୁଲାଉଥିବା ଜଣାଯାଇଛି। ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ସଂସ୍ଥାରେ ଦୀର୍ଘ ବର୍ଷ ଧରି ଆବଶ୍ୟକ ସଂଖ୍ୟକ କ୍ଷେତ୍ର କର୍ମଚାରୀଙ୍କ ଘୋର ଅଭାବ କାରଣରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଏହି ସ୍ମାର୍ଟ ସହରରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୌଗୋଳିକ କାୟା ମଧ୍ୟ ବିସ୍ତାର ହେବାରେ ଲାଗିଛି। ସେହି ଅନୁଯାୟୀ ସହର ମଧ୍ୟରେ ବିଭିନ୍ନ ଛୋଟ ବଡ ବ୍ୟବସାୟିକ ଅନୁଷ୍ଠାନର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି।ହେଲେ ଉକ୍ତ ବ୍ୟବସାୟିକ କାରବାରରେ ଦେଖା ଯାଉଥିବା ଓଜନ ଓ ମାପ ଜନିତ ଅନିୟମିତତା ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ପ୍ରତିକାର ହୋଇପାରୁନାହିଁ। କାରଣ ଏଥିରେ ସୃଷ୍ଟି ହେଉଥିବା ବ୍ୟତିକ୍ରମ ଗୁଡ଼ିକୁ ନିୟନ୍ତ୍ରଣ କରିବା ଦାୟିତ୍ବରେ ପ୍ରଚଳିତ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ଅତି ନଗଣ୍ୟ।

ତେବେ ଏଭଳି ଅଭାବନୀୟ ସ୍ଥିତି ଯୋଗୁଁ ଅସାଧୁ ଓ ମୁନଫାଖୋର ବ୍ୟବାୟୀମାନେ ଏହାର ବେଶ ଫାଇଦା ଉଠାଉ ଛନ୍ତି।ଫଳରେ ସେମାନେ ଖାଉଟି ମାନଙ୍କୁ ଓଜନ ଓ ମାପରେ ଅବାଧରେ ଠକି ଚାଲିଥିବା ଅଭିଯୋଗ ହୋଇଆସୁଥିବା ବେଳେ ସମ୍ପୃକ୍ତ ବିଭାଗ ଆବଶ୍ୟକ କ୍ଷେତ୍ର କର୍ମଚାରୀଙ୍କ ଅଭାବ ଦର୍ଶାଇ ମୁଣ୍ଡରୁ ଦାୟିତ୍ୱ ଖସାଇ ଚାଲିଛି। ମାତ୍ର ଏବାବଦରେ ଭଲଭାବେ ଅବଗତ ଥାଇ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ବିହୀତ ପଦକ୍ଷେପ ଗ୍ରହଣ ନିମନ୍ତେ ଦୀର୍ଘ ଦିନ ହେଲା ସରକାର କାହିଁକି ନିଦାବିଷ୍ଣୁ ସାଜିଛନ୍ତି ସେନେଇ ଖାଉଟି ମହଲରେ ଏବେ ବିସ୍ମୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଭୁବନେଶ୍ଵର ସହରର ବିଭିନ୍ନ ଅଞ୍ଚଳ ତଥା କ୍ଷେତ୍ରକୁ ନେଇ ଏହାର ନିୟନ୍ତ୍ରଣ ପାଇଁ ମାତ୍ର ଚାରି ଗୋଟି ୟୁନିଟ ରହିଛି।ପ୍ରତି ୟୁନିଟ ଅଞ୍ଚଳ ଦାୟିତ୍ଵରେ ଜଣେ ଜଣେ ଇନ୍ସପେକ୍ଟର ରହିବା କଥା।ମାତ୍ର ଜଣଙ୍କ ହାତରେ ଏବେ ଏପରି ଏକ ଗୁରୁଭାରକୁ ନ୍ୟସ୍ତ କରାଯାଇଛି।ତେବେ ପ୍ରତ୍ୟେକ ୟୁନିଟ ଅଞ୍ଚଳରେ ଥିବା ବିଭିନ୍ନ ଛୋଟ ବଡ ବ୍ୟବସାୟିକ ଅନୁଷ୍ଠାନର ଓଜନ ଓ ମାପ ସମ୍ବନ୍ଧିତ କାରବାର ଉପରେ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତନଖି କରିବାର ବ୍ୟବସ୍ଥା ରହିଛି।

ଏଥିରେ ନିୟମିତ ଉକ୍ତ ବ୍ୟବସାୟିକ ସଂସ୍ଥା ଗୁଡିକର କ୍ଷେତ୍ର ପରିଦର୍ଶନ,ପଞ୍ଜିକରଣ, ତଦାରଖ,ନବୀକରଣ,ମାପ ଓ ଓଜନରେ ବ୍ୟବହର ହେଉଥିବା ଯନ୍ତ୍ରପାତି ଓ ଆନୁସାଙ୍ଗିକ ସାମଗ୍ରୀ ଗୁଡିକର ନିୟମିତ ଯାଞ୍ଚ ଓ ଚଢ଼ାଉ ଇତ୍ୟାଦି ସହ ଖିଲାପି ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ମଧ୍ୟ ବ୍ୟବସ୍ଥା ରହିଛି।ବିଶେଷ କରି ଉକ୍ତ ୟୁନିଟ ଗୁଡିକ ଦାୟିତ୍ବରେ ଥିବା ଓଜନ ଓ ମାପ ନିରୀକ୍ଷକ ତଥା ଇନ୍ସପେକ୍ଟର ମାନଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ସେମାନଙ୍କୁ ସହାୟତା କରିବାକୁ ଆବଶ୍ୟକ ମାନୁଆଲ ଆସିଷ୍ଟାଣ୍ଟମା ନଙ୍କର ମଧ୍ୟ ଅନୁରୂପ ଭୂମିକା ରହିଛି।ମାତ୍ର ଏହାର ନିୟନ୍ତ୍ରଣ ପାଇଁ ନାମକୁମାତ୍ର ଏବେ ଜଣେ ମାତ୍ର ଇନ୍ସପେକ୍ଟରଙ୍କ ସାଙ୍ଗକୁ ହାତଗଣତି କିଛି ମାନୁଆଲ ଆସିଷ୍ଟାଣ୍ଟ କିପରି ଭାବେ ଏପରି ଗୁରୁ ଦାୟିତ୍ବ ତୁଲାଉଛନ୍ତି ସେନେଇ ଏବେ ସାଧାରଣରେ ଘୋର ବିସ୍ମୟ ପ୍ରକାଶ ପାଇଛି। ଏବେ ସହର ମଧ୍ୟରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ଵ ବ୍ୟବସାୟୀ ପଞ୍ଜୀକୃତ ହୋଇଥିବା ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ପ୍ରକୃତପକ୍ଷେ ଏହାର ସଂଖ୍ୟା ଢେର୍ ଅଧିକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ତେବେ ସହରରେ ଥିବା ବ୍ୟବସାୟୀକ ସଂସ୍ଥା ଓ ଖାଉଟି ମାନଙ୍କ ସଂଖ୍ୟା ଅନୁପାତରେ ପ୍ରଚଳିତ କ୍ଷେତ୍ର କର୍ମଚାରୀଙ୍କ ସଂଖ୍ୟା ବହୁତ କମ ହୋଇ ଥିବାରୁ ଏହାର ନିୟନ୍ତ୍ରଣ ପାଇଁ ବାସ୍ତବ କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଛି।

ଗୋଟିଏ ପଟେ ଖାଉଟି ମାନଙ୍କର ସଚେତନତାର ଅଭାବ ସାଙ୍ଗକୁ ଏକ୍ଷେତ୍ରରେ ସରକାରଙ୍କ ଉଦାସୀନତା କାରଣରୁ ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ନିରୀହ ଖାଉଟି ମାନେ ଠକାମି ଶିକାର ହେଉଛନ୍ତି। ଅଥଚ ସରକାର ସବୁ ଜାଣି ଅଜଣା ଭଳି ଏକ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁନଥିବାରୁ ସହରର ସଚେତନ ଖାଉଟି ମହଲରେ ଏନେଇ ଏବେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।ଅପର ପକ୍ଷରେ ଏନେଇ ବିଭାଗୀୟ ନିର୍ଦ୍ଦେଶକ ତଥା ନିୟନ୍ତ୍ରକ ଜ୍ୟୋତି କୁମାର ଲାକ୍ରାଙ୍କ ପ୍ରତିକ୍ରିୟା ଜାଣିବାକୁ ତାଙ୍କ ମୋବାଇଲ ସହ ଯୋଗାଯୋଗ କରାଯାଇଥିଲେହେଁ ତାଙ୍କର ଉତ୍ତର ମିଳିନଥିଲା।ତେବେ ବିଭାଗୀୟ ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ତ୍ରିଲୋଚନ ଦାସ ଓ ନିହାର ରଞ୍ଜନ ମିଶ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉଭୟ ଆବଶ୍ୟକ କ୍ଷେତ୍ର କର୍ମଚାରୀଙ୍କ ଅଭାବରୁ ଏପରି ସ୍ଥିତି ଉପୁଜିଛି ବୋଲି କହି,ସରକାର ରାଜ୍ୟରେ ଇତିମଧ୍ୟରେ ଆଉ ୨୬ ଜଣ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରଖିଥିବା ପ୍ରକାଶ କରିଥିଲେ।

SBI AD