ଭୁବନେଶ୍ୱର,୧୨/୬: ରଜ ପାଇଁ ଗ୍ରାହକ ମାନିଲେନି ନିୟମ । ସିଲ୍ ହେଲା୨ ନମ୍ବର ମାର୍କେଟ୍ ବିଲ୍ଡିଂ । କରୋନା କଟକଣା, ସାମାଜିକ ଦୂରତା ଆଦି ଗାଇଡଲାଇନ୍ ନମାନିବାରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ ।
ରଜକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଜି ରାତ୍ରିକାଳୀନ କର୍ଫ୍ୟୁକୁ ୩ ଘଣ୍ଟା ବଢାଇ ରାତି ୧୦ଟା ଯାଏଁ କରିଥିଲେ । ରଜ ପାଇଁ କିଣାକିଣି କରିବାକୁ ସାମାଜିକ ଦୂରତା ସହ ସମସ୍ତ ଗାଇଡଲାଇନ୍ ମାନିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଥିଲା ।କିନ୍ତୁ ରଜ ପାଇଁ ଲୋକେ ଏମିତି ବାଉଳା ଯେ ଏହି ନିୟମକୁ ବେଖାତିର କରି ରାଜଧାନୀର ୨ ନମ୍ବର ମାର୍କେଟ୍ ବିଲ୍ଡିଂରେ ଆଜି ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଲୋକମାନେ କିଣାକିଣି କରିବା ବେଳେ ସାମାଜିକ ଦୂରତା ଓ କରୋନା କଟକଣାକୁ ଖାତିର କରିନଥିଲେ ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି ।
ଆଜି ରଜ ବଜାରକୁ ନଜରରେ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ଗହଳି ଚହଳି ଲାଗି ରହିଛି । ଅନେକ ସ୍ଥାନରେ ଲୋକମାନେ କିଣାକିଣି ବେଳେ ସାମାଜିକ ଦୂରତାକୁ ପାଳନ କରୁନାହାଁନ୍ତି । ଏପରିକି ବ୍ୟବସାୟୀମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି ।