ରାଜଧାନୀରେ ବେପରୁଆ ରାସ୍ତା ଖୋଳା : ସରକାରୀ ମାର୍ଗଦର୍ଶିକା ଓ ଏସଓପିକୁ ଫୁ, ଲୋକେ ହୀନସ୍ତା

ଭୁବନେଶ୍ୱର,୨୪ /୩: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ସ୍ମାର୍ଟ ସିଟିରେ ବିଭିର୍ନ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଅତି ବେପରୁଆ ଭାବେ ସର୍ବସାଧାରଣଙ୍କ ରାସ୍ତା ଖୋଳା ଯାଉଛି । ସରକାରୀ ମାର୍ଗଦର୍ଶିକା ଓ ଏସଓପି ତଥା ମାନକ ସଂଚାଳନ ପ୍ରକ୍ରିୟାକୁ ଉଲ୍ଲଙ୍ଘନ କରାଯାଇ ଏପରି ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ସାଧାରଣରେ ଏନେଇ ଘୋର ଅସନ୍ତୋଷ ଦେଖାଦେଇଛି । ବିଶେଷକରି ସହରର ବିଭିନ୍ନ ସ୍ଥାନରେ ସରକାରଙ୍କ ୱାଟକୋ,ପିଏଚଡି, ସ୍ବେରେଜ ବୋର୍ଡ,ବିଏମସି, ବିଏସସିଏଲ,ପୂର୍ତ୍ତ, ଟିପିସିଓଡିଏଲ ଓ ଓପିଟିସି ଏଲ ଏବଂ ଅନ୍ୟାନ୍ୟ କେତେକ ବେସରକାରୀ ସଂସ୍ଥା ପକ୍ଷରୁ ଏପରି ସବୁ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ସମ୍ପୃକ୍ତ ବିଭାଗ ଗୁଡିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ତଦାରଖର ଅଭାବରୁ ଏଥିରେ ତ୍ରୁଟି ଯୋଗୁଁ ବିଭିର୍ନ ସମସ୍ୟା ଉପୁଜୁଛି ।ଏହା ଫଳରେ ଜନସାଧାରଣ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଯାତାୟାତ କ୍ଷେତ୍ରରେ ମଧ୍ୟ ଜନସାଧାରଣ ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି । ମାତ୍ର ସମ୍ପୃକ୍ତ ବିଭାଗ ଗୁଡିକ ଏକ୍ଷେତ୍ରରେ ବେଫିକର ରହୁଥିବା କୁହାଯାଉଛି ।ଏପରିକି ସମ୍ପୃକ୍ତ ବିଭାଗ ଗୁଡିକ ପକ୍ଷରୁ ନିର୍ମାଣ କାର୍ଯ୍ୟ ନ୍ୟସ୍ତ କରାଯାଇଥିବା କେତେକ ଠିକା ସଂସ୍ଥା ମଧ୍ୟ ଅତି ଖାମ ଖିଆଲି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ।

 

ବିଭାଗୀୟ ଠିକା ଚୁକ୍ତିନାମା ଓ ସରକାରୀ ମାର୍ଗଦର୍ଶିକାକୁ ଫୁ କରି ଏମାନେ କାର୍ଯ୍ୟ ସରିଲା ପରେ ରାସ୍ତାକୁ ସଠିକ ଭାବେ ପୁନରୁଦ୍ଧାର ନକରି ଅଧାପନ୍ତରିଆ ଓ ଅଣନିରାପଦ ଅବସ୍ଥାରେ ଛାଡି ପଳାଉଛନ୍ତି । କିଛି ଠିକା ସଂସ୍ଥା ଅନେକ ସ୍ଥାନରେ ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ବିଲ ହାତେଇବା ପରେ ଆଉ ଧରାଛୁଁଆ ଦେଉନଥିବାରୁ ପରବର୍ତ୍ତୀ ସମୟରେ ତାହା କମଦିନ ଭିତରେ ନଷ୍ଟ ହୋଇ ବିପଦସଂଙ୍କୁଳ ଅବସ୍ଥା ସୃଷ୍ଟି କରୁଛି ।ଏସବୁ କାରଣରୁ ଯାତାୟାତ କ୍ଷେତ୍ରରେ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ବିପନ୍ନ ହେବାର ଅନେକ ନଜିର ରହିଛି, ହେଲେ ଦୀର୍ଘ ବର୍ଷ ବର୍ଷ ଧରି ଏପରି ବିଡମ୍ବନା ଘଟି ଚାଲିଥିଲେ ସରକାରୀ ସ୍ତରରେ ଖାଲି ଉପର ଠାଉରିଆ ଭାବେ ସମ୍ପୃକ୍ତ ବିଭାଗ ଗୁଡିକ ପକ୍ଷରୁ ଏହାର ପ୍ରତିକାର ଦିଗରେ ବୈଠକ ପରେ ବୈଠକ ଆଉ କାଗଜ କଲମରେ ନୀତିନିୟମ ଫାଇଲ ଭିତରେ ସୀମିତ ହୋଇ ରହିଛି ।ମାତ୍ରା ବାସ୍ତବ କ୍ଷେତ୍ରରେ ଅଦ୍ୟାବଧି ଏହାର କାର୍ଯ୍ୟକାରିତା ନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ଜନ ଗହଳୀପୂର୍ଣ୍ଣ ଓ ବ୍ୟସ୍ତବହୁଳ କଟକ ରୋଡର ଲକ୍ଷ୍ମୀ ସାଗର ଛକ ଟ୍ରାଫିକ ପୋଷ୍ଟ ପାର୍ଶ୍ଵ ରାସ୍ତା ଉପରେ.ପ୍ରାୟ ଦୁଈ ମାସ ତଳେ ୱାଟକୋ ପକ୍ଷରୁ ସେଠାରେ ପ୍ରାୟ ଚାରୀ ଫୁଟ ଓସାର ଓ ଶହେ ଫୁଟ ଲମ୍ବର ରାସ୍ତା ଅଂଶକୁ ଖୋଳି ସ୍ବେରେଜ ଲାଇନ ନିର୍ମାଣ କାର୍ଯ୍ୟ ହୋଇଥିଲା । ଉକ୍ତ କାର୍ଯ୍ୟ ସରିଲା ପରେ ସମ୍ପୃକ୍ତ ଠିକା ସଂସ୍ଥା ସଠିକ ଭାବେ ଏହାର ପୁନରୁଦ୍ଧାର ନକରି ଅତି ବେପରୁଆ ଭାବେ ଛାଡି ଚାଲିଗଲା । ଯାହାଫଳରେ ସେହି ରାସ୍ତାଂଶ ନଷ୍ଟ ହୋଇ ସେଥିରେ ଖାଲ ଖମା ସୃଷ୍ଟି ହେଲା.ଏହାର ପରିଣାମ ସ୍ୱରୂପ ଦୈନିକ ସେଠାରେ ଗମନା ଗମନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ୍ନ ହେଉଛନ୍ତି । ଅଥଚ ଦୀର୍ଘଦିନ ଧରି ସହରର ଏକ ଗୁରୁତ୍ୱପୂର୍ଣ ରାସ୍ତାର ମୁଖ୍ୟ ଛକ ଉପରେ ଟ୍ରାଫିକ ପୋଷ୍ଟକୁ ଲାଗି ସୃଷ୍ଟି ହୋଇଥିବା ଏପରି ବିପର୍ଯ୍ୟସ୍ତ ରାସ୍ତାଂଶ ଉପରେ ଯାତାୟାତ ବେଳେ ସମ୍ପୃକ୍ତ ବିଭାଗର ବାବୁ ମାନଙ୍କର ନଜର ପଡୁଥିବା ବେଳେ ସମସ୍ତେ ନିଦାବିଷ୍ଣୁ ପାଲଟିଛନ୍ତି । ତେବେ ଏନେଇ ଆମେ ବିଏମସିର ଆଡମିନଷ୍ଟ୍ରେଟର, କମିଶନର,ୱାଟକୋ ଏମଡି,ବିଭାଗୀୟ ପ୍ରୋଜେକ୍ଟ ମ୍ୟାନେଜର, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା),ଟ୍ରାଫିକ ଏଡ଼ିସିପି ଓ ଏସିପି ଙ୍କ ପ୍ରତିକ୍ରିୟା ଲୋଡିବାରେ ସେମାନେ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ ହେଁ ଆଗାମୀ ଦିନରେ ଏହାର ବାସ୍ତବ ରୂପ କେତେଦୂର ଫଳପ୍ରଦ ହେଉଛି ତାହା ସମୟ ହି କହିବ ।