ବିଚିତ୍ର ସ୍ମାର୍ଟ ଜନପଥ : ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଶହେରୁ ଊର୍ଧ୍ୱ ଷ୍ଟ୍ରିଟଲାଇଟ ଅଚଳ, ସ୍ଥାଣୁ ପାଲଟିଛି ବିଏମସି ଓ ବିଏସସିଏଲ

ଭୁବନେଶ୍ୱର,୧୨/୭ : (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ସ୍ମାର୍ଟ ସିଟି ମିଶନର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ଅନ୍ତର୍ଗତ ସ୍ମାର୍ଟ ଜନପଥରେ ଦୀର୍ଘଦିନ ହେଲା ଶତାଧିକ ଷ୍ଟ୍ରିଟ ଲାଇଟ ଅଚଳ ଅବସ୍ଥାରେ ରହିଛି ।ଏନେଇ ସହରର ସଚେତନ ନାଗରିକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଅଥଚ ଏହାର ଉପଯୁକ୍ତ ରକ୍ଷଣା ବେକ୍ଷଣ ଓ ମରାମତି ଦାୟିତ୍ୱରେ ଥିବା ବିଏମସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲି. (BSCL) ସବୁ ଜାଣି ଅଜଣା ଭଳି ସ୍ଥାଣୁ ପାଲଟିଥିବାରୁ ସାଧାରଣରେ ଏନେଇ ଉଦବେଗ ପ୍ରକାଶ ପାଇଛି। ତେବେ ସହରବାସୀଙ୍କୁ ବିଶେଷକରି ଏହି ଅତ୍ୟାବଶ୍ୟକୀୟ ଓ ଗୁରୁତ୍ୱପୂର୍ଣ୍ଣ ମୌଳିକ ସେବା ଯୋଗାଇଦେବା ଦାଇତ୍ୱରେ ଥିବା ବିଏମସି ପକ୍ଷରୁ ସମ୍ପୃକ୍ତ ଠିକା ସଂସ୍ଥା ଇ – ସ୍ମାର୍ଟ ଏନର୍ଜି ସଲିୟୁସନ ପ୍ରା. ଲି ତଥା ଏସକୋ ଦୀର୍ଘଦିନଧରି ଏକ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଆସୁଥିବା ଅଭିଯୋଗ ହୋଇଛି । ଫଳରେ ଦୈନିକ ସନ୍ଧ୍ୟା ପରଠାରୁ ତାପରଦିନ ଭୋର ସମୟ ପର୍ଯ୍ୟନ୍ତ ଶିଶୁଭବନ ଛକ ଠାରୁ ବାଣୀ ବିହାର ଛକ ପର୍ଯ୍ୟନ୍ତ ପ୍ରାୟ ୬ କିମି ସ୍ମାର୍ଟ ଜନପଥ ଠାଏ ଅନ୍ଧାର ଓ ଠାଏ ଆଲୁଅ ହୋଇ ରହୁଥିବାରୁ ଯାତାୟାତ କ୍ଷେତ୍ରରେ ଲୋକେ ନାନା ଅସୁବିଧାର ସମୁଖୀନ ହେଉଛନ୍ତି ।

ଏହାଛଡା ଦୈନିକ ଏହି ସ୍ମାର୍ଟ ଜନପଥରେ ଥିବା ଉକ୍ତ ଅନ୍ଧକାର ସ୍ଥାନ ଗୁଡ଼ିକରେ ଛୋଟବଡ଼ ଦୁର୍ଘଟଣା ସାଙ୍ଗକୁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଘଟୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିବର୍ଷ ହେଲା ଭୁବନେଶ୍ୱର ସ୍ମାର୍ଟ ସିଟି ମିଶନ ପ୍ରକଳ୍ପର ପ୍ରଥମ କାର୍ଯ୍ୟ ସ୍ୱରୂପ ଏହି ସ୍ମାର୍ଟ ଜନପଥର ବିକାଶ ଉପରେ ଫୋକସ ଦିଆଯାଇଛି । ତଦନୁଯାୟୀ ଏହାକୁ ଆକର୍ଷଣୀୟ କରିବା ଲାଗି ଏହାର ସର୍ବାଙ୍ଗୀନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଏବେ ଚାଲୁ ରହିଛି । ମାତ୍ର ଉପରୋକ୍ତ ଦୁଇ ବିଭାଗ ଏଥିରେ ଅନ୍ତର୍ଭୁକ୍ତ ଷ୍ଟ୍ରିଟ ଲାଇଟ ସେବା ଭଳି ଏକ ଜନ ନିରାପଦ ମୌଳିକ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହାକୁ କିପରି ଭାବେ ଅଣଦେଖା କରିଚାଲିଛନ୍ତି ସେ ନେଇ ସାଧାରଣରେ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ଏ ବାବଦରେ ବିଏମସି କମିଶନର ତଥା ବିଏସସିଏଲର ସିଇଓ ସଞ୍ଜୟ କୁମାର ସିଂଙ୍କୁ ପଚାରିବାରେ ସେ ଏହାର ଆଶୁ ପ୍ରତିକାର ଦିଗରେ ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।