ଭୁବନେଶ୍ୱର ସ୍ମାର୍ଟସିଟି ଓ କମିସନରେଟ ପୋଲିସ ମଧ୍ୟରେ ସମନ୍ୱୟ ବୈଠକ

ଭୁବନେଶ୍ୱର,୨୬ /୬: (ପ୍ରଦୀପ୍ତ କୁମାର ଦାସ) – ଭୁବନେଶ୍ୱର ସ୍ମାର୍ଟସିଟି (ବିଏସସିଏଲ) କାର୍ଯ୍ୟାଳୟଠାରେ ଦ୍ୱୈତ ନଗରୀ କମିସନରେଟ ପୋଲିସ ଓ ବିଏସସିଏଲ ମଧ୍ୟରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବିଏସସିଏଲ ର ସିଇଓ ସଞ୍ଜୟ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀ ଓ ସମ୍ପୃକ୍ତ ଦୁଇ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ସ୍ମାର୍ଟ ସିଟି ଓ କମିସନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରର ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁମୁଖୀ ସେବା ବ୍ୟବସ୍ଥା ସମ୍ପର୍କରେ ପରସ୍ପର ଭାବ ବିନିମୟ ସହ ଆଲୋଚନା କରିଥିଲେ ।

ବିଶେଷକରି ରାଜଧାନୀବାସୀଙ୍କ ନିରାପତ୍ତା ଉଦ୍ଦେଶ୍ୟରେ ଏହି ସବୁ ସେବା ବ୍ୟବସ୍ଥାକୁ କିପରି ଭାବେ ସୁଚାରୁ ରୂପେ ଯୋଗାଇଦେଇ ହେବ ସେ ନେଇ ବୈଠକରେ ପରାମର୍ଶ ଗ୍ରହଣ ସହ ସମୀକ୍ଷା କରାଯାଇଥିଲା ।ଏହି ସବୁ ସେବା ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ସିଟି ସର୍ଭେଇଲାନ୍ସ ସିଷ୍ଟମ,ଟ୍ରାଫିକ ଭାଓଲେସନ ଡିଟେକ୍ସନ ସିଷ୍ଟମ,ଟ୍ରାଫିକ ରୁଲସ ଏନ୍ଫୋର୍ସମେଣ୍ଟ ସିଷ୍ଟମ,ପବ୍ଲିକ ଆଡ୍ରେସ ସିଷ୍ଟମ,ଡ଼ାଇନାମିକ ମେସେଜ ସାଇନବୋର୍ଡ ସିଷ୍ଟମ,ଟ୍ରାଫିକ ଆକ୍ସିଡେଣ୍ଟ ରେକର୍ଡ଼ିଂ ସିଷ୍ଟମ, ଅଟୋମେଟିକ ଭେହିକିଲ ଲୋକେସନ ସିଷ୍ଟମ ଓ ବ୍ଲାକସ୍ପଟ ସହ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକ ପାଇଁ ଜିଆଇଏସ ପ୍ଲାଟଫର୍ମ ବ୍ୟବସ୍ଥାକୁ କିପରି ଆହୁରି ଅଧିକ କ୍ରିୟାଶୀଳ କରାଯାଇ ପାରିବ,ସେ ନେଇ ଏହି ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ କମିସନରେଟ ପୋଲିସ ମଡର୍ଣ୍ଣ କଣ୍ଟ୍ରୋଲ ରୁମ ର ମୁଖ୍ୟ ତଥା ବରିଷ୍ଠ ଏସିପି ବାନାମ୍ବର ସେଠୀଙ୍କ ସମେତ ବିଏସସିଏଲ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।