ଦୁବାଇ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୯/୯ : ଭାରତୀୟ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ୍ ପ୍ରସ୍ତୁତି ତଦାରଖ ପାଇଁ ଆଜି ଦୁବାଇ ଗସ୍ତରେ ବାହାରିଛନ୍ତି | ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହେବାକୁ ଅଛି ଆଇପିଏଲ୍ ୨୦୨୦ | ଦେଶରେ ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟ ୟୁଏଇରେ କରାଯାଉଛି | ଓପନିଂ ମ୍ୟାଚ୍ ମୁମ୍ବାଇ ଇଂଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ଖେଳାଯିବ |

ସୌରଭ ଗାଙ୍ଗୁଲି ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି | ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଗତ ୬ ମାସ ମଧ୍ୟରେ ସେ ପ୍ରଥମଥର ପାଇଁ ବିମାନରେ ଗସ୍ତ କରୁଛନ୍ତି | ଆଇପିଏଲ୍ ପାଇଁ ଦୁବାଇ ଯିବାକୁ ପଡିବ ବୋଲି ସେ କହିଛନ୍ତି |

ଫଟୋରେ ଗାଙ୍ଗୁଲି ମାସ୍କ ସହ ଫେସ୍ ସିଲ୍ଡ ପିନ୍ଧିଥିବା ନଜର ଆସିଛି | କରୋନା ମହାମାରୀ ଯୋଗୁଁ ବିମାନ ଯାତ୍ରା ସମୟରେ ମାସ୍କ ଫେସ୍ ସିଲ୍ଡ ଅନିବାର୍ଯ୍ୟ | ତେବେ କରୋନା ମହାମାରୀ ଯୋଗୁଁ ଗାଙ୍ଗୁଲି ଏକାଥରେ ଦୁଇଟି ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି | ଆଇପିଏଲ୍ ଚେୟାରମ୍ୟାନ୍ ବ୍ରିଜେଶ୍ ପଟେଲ୍ ପୂର୍ବରୁ ହିଁ ଦୁବାଇ ଯାଇସାରିଛନ୍ତି |