ଓଡ଼ିଶାରେ ବେଦାନ୍ତ ନିବେଶ କରିବ ୧ ଲକ୍ଷ କୋଟି

ଭୁବନେଶ୍ଵର,୨୩/୧୦ : ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି। ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝର ଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି । ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ଆଲୋଚନାରୁ ଜଣାଯାଇଛି ଯେ, ବେଦାନ୍ତ ପକ୍ଷରୁ ଓଡିଶାରେ ଦୁଇଟି ନୂଆ ଆଲୁମିନିଅମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ । ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉଏକ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଅତ୍ୟନ୍ତ ଉନ୍ନତ ଗ୍ରେଡ୍‌ର ଆଲୁମିନିଅମ୍‌ ଆଲୟ ପ୍ରସ୍ତୁତ ହେବ । ଏହି ଆଲୁମିନିଅମ୍‌ ଆଲୟ ଏରୋସ୍ପେଶ୍, ଇଲେକ୍ଟ୍ରିକ୍‌ ଭେହିକିଲ୍‌ସ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହାଦ୍ୱାରା ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆସିବ ଏବଂ ଏମ୍‌.ଏସ୍‌.ଏମ୍‌.ଇ ଶିଳ୍ପରେ ବିପୁଳ ଅଭିବୃଦ୍ଧି ହୋଇପାରିବ ।

ଏହି ବୈଠକରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ବେଦାନ୍ତର ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

SBI_Festive_Digital Billboard