ବ୍ରଜରାଜନଗର : ଚଳିତ ବର୍ଷ ୟୁଏଇରେ ଖେଳା ଯାଉଥିବା ଆଇପିଏଲ୍ ମ୍ୟାଚ୍କୁ ନେଇ ଜୁଆ ଓ ବେଟିଂ କାର୍ଯ୍ୟକଳାପରେ ବୃଦ୍ଧିଘଟିଛି। ଆଇପିଏଲ୍ ୟୁଏଇକୁ ଚାଲି ଯାଇଥିଲେ ହେଁ ଏହାକୁ ନେଇ ଅନୈତିକ କାର୍ଯ୍ୟକଳାପ ଭାରତରେ ରହିଯାଇଛି। ଓଡ଼ିଶାରେ ମଧ୍ୟ କ୍ରିକେଟ ବେଟିଂ ଜୋରଦାର ହେଉଛି। ବେଟିଂ କରୁଥିବା ଅଭିଯୋଗରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସ୍ଥିତ ଏକ ହୋଟେଲରୁ ୬ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ଅଭିଯୁକ୍ତମାନେ ଛତିଶଗଡ଼ ରାଜ୍ୟ ରାୟଗଡ଼ର ପ୍ରଦୀପ ପଟେଲ (୨୮), ଅରିଫ ଅହମ୍ମଦ(୩୦), ମହମ୍ମଦ ୱାସିମ୍ (୩୦), ବିଜୟ ବାସୁଦେବ ଶର୍ମା (୪୪), ଶେର ଖାନ (୨୮) ଓ ଜଗନ୍ନାଥ ସିଂହ (୨୪)। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଲାପ୍ଟପ୍, ୨ଟି ଟାବ୍ଲେଟ୍, ୨୦ଟି ମୋବାଇଲ୍ ଓ କାର୍ ଜବତ କରାଯାଇଛି।
ସୂଚନାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଧରା ପଡ଼ିଯିବା ଭୟରେ ବିଭିନ୍ନ ସ୍ଥାନରେ ହୋଟେଲରେ ରହି ଅନଲାଇନ ମାଧ୍ୟମରେ ଆଇପିଏଲ କ୍ରିକେଟ ବେଟିଂ କରୁଥିଲେ। ଗତକାଲି ମୁମ୍ବାଇ ଇଣ୍ଡିଆନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ର ଏକ କ୍ବାଟର୍ ଫାଇନାଲ୍ ମ୍ୟାଚ୍ ହେଉଥିଲା। ଏହି ମ୍ୟାଚ୍ ଚାଲୁଥିବା ସମୟରେ ବେଲପାହାଡ଼ର ଏକ ହୋଟେଲ୍ରେ ବେଟିଂ ଚାଲୁଥିବା ଜାଣି ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ତତ୍ତ୍ବାବଧାନରେ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବ୍ରଜରାଜନଗର ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ବେଲପାହାଡ଼ ପୁଲିସ ଚଢ଼ଉ କରି ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରିଥିଲେ।