ଆମ ପ୍ରାଣୀଜଗତର ଏକ ଅଦ୍ଭୁତ ଗୁଣସଂପନ୍ନ ପତଙ୍ଗ ହେଉଛି ମହୁମାଛି । ଏହାଦ୍ୱାରା ସଂଗୃହୀତ ମହୁ ଇତିହାସହୀନ କାଳରୁ ଆମଦ୍ୱାରା ବ୍ୟବହୃତ ହୋଇ ଆସୁଛି । ଠାକୁରଙ୍କ ପୂଜାରେ ବ୍ୟବହୃତ ପଞ୍ଚାମୃତ ହେଉ, କିମ୍ବା ଆମ ଖାଦ୍ୟକୁ ସ୍ୱାଦିଷ୍ଠ କରିବାପାଇଁ ହେଉ, ମହୁ ସବୁବେଳେ ଲୋଡ଼ା ହୋଇଥାଏ । କୁହାଯାଏ, ମହୁ ଏକ ସଂପୂର୍ଣ୍ଣ ଖାଦ୍ୟ । କାରଣ, ଏଥିରେ ପ୍ରଚୁର ପରିମାଣରେ ଶକ୍ତି ଯୋଗାଉଥିବା ଦ୍ରାକ୍ଷାଶର୍କରା ଓ ଫଳଶର୍କରା ପରି ଶ୍ୱେତସାର ଜାତୀୟ ଉପାଦାନ ସହିତ, ପୁଷ୍ଟିସାର, ଜୀବସାର ଓ ଧାତୁସାର ଆଦି ସ୍ୱାସ୍ଥ୍ୟକର ଉପାଦାନ ରହିଥାଏ । ସମଗ୍ର ବିଶ୍ୱରେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରକାରର ମହୁ ଉପଲବ୍ଧ ହୋଇଥାଏ ।
ତେବେ ଆମ ଦେଶରେ ସ୍ୱାସ୍ଥ୍ୟପାଇଁ ବିଶେଷ ଉପକାରୀ ଆଠ ପ୍ରକାରର ମହୁର ବର୍ଣ୍ଣନା ଆୟୁର୍ବେଦ ଗ୍ରନ୍ଥମାନଙ୍କରେ ରହିଛି । ସେହିସବୁ ମହୁ ହେଉଛି ପୌତ୍ତିକ, ଭ୍ରାମର, କ୍ଷୌଦ୍ର, ମାକ୍ଷିକ, ଛାତ୍ର, ଆର୍ଘ୍ୟ, ଔଦ୍ଦାଳକ ଓ ଦାଳ । ଏହିସବୁ ମହୁ ବର୍ଣ୍ଣ, ସ୍ୱାଦ ଓ ହିତକାରୀ ଉପାଦାନ ଦୃଷ୍ଟିରୁ ଭିନ୍ନଭିନ୍ନ । ତେବେ ସବୁ ମହୁ ହୃଦୟ ଓ ଚକ୍ଷୁପାଇଁ ହିତକାରୀ । ଏହା ମଧ୍ୟ ବର୍ଣ୍ଣବୃଦ୍ଧିକର, କ୍ଷୁଧା ଓ କାମଶକ୍ତି ବର୍ଦ୍ଧକ ଏବଂ କଣ୍ଠସ୍ୱର ପାଇଁ ଉତ୍ତମ ।
– ନିୟମିତ ମହୁ ସେବନ ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିବା ସହିତ ଶରୀରର ସୁକୁମାରତା ବଜାୟ ରହିଥାଏ ।
– ମହୁ ମଧ୍ୟ ସାଧାରଣତଃ ହିକ୍କା, କାଶ, ଶ୍ୱାସ, ତରଳଝାଡ଼ା, ଚର୍ମରୋଗ, ରକ୍ତସ୍ରାବ, ଅସ୍ଥିଭଗ୍ନ, କ୍ଷତ, ବମନ ଏବଂ ମୂତ୍ରବହ ସଂସ୍ଥାନଗତ ରୋଗ ଆଦିରେ ହିତକାରୀ ।
– ଏହା ବୁଦ୍ଧି ଓ ବଳକୁ ବଢ଼ାଇବା ସହିତ ପିତ୍ତ ଓ କଫ ଦୋଷ ପ୍ରଶମନ କରିଥାଏ ।
– ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଦିନକୁ ଚା ଚାମଚରେ ସର୍ବାଧିକ ୪ରୁ ୫ ଚାମଚ ମହୁ ଖାଇପାରିବେ ।
– ମହୁକୁ ମଧ୍ୟ ଅତ୍ୟଧିକ ଗରମ ପରିବେଶରେ କିମ୍ବା ଗରମ କରି, ଅଥବା ଅତ୍ୟଧିକ ଗରମ ଖାଦ୍ୟ ବା ପାନୀୟ ସହିତ ଖାଇବା ଉଚିତ ନୁହେଁ ।
– ସେହିପରି, ସମମାତ୍ରାରେ ମହୁ ଓ ଘିଅ ଏବଂ ମହୁ ଓ ରାଶିତେଲ ଖାଇବା ମଧ୍ୟ ଉଚିତ ନୁହେଁ । ମଧୁମେହ ରୋଗୀ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ମହୁ ସେବନ କରିପାରିବେ ।